କବିତା
ମୋ ଜେଜିମା

ମୋ ଜେଜିମା ପୁରୁଣାକାଳିଆ
କାନରେ ନାଇଛି ନୋଳି,
ଥିରି ପାଦେ ସିଏ ଅଗଣାକୁ ଯାଇ
ବାନ୍ଧିଦେଲା ପଟା ଦୋଳି ।
କହିଲା -ନାତୁଣୀ ଆ,
ଚନ୍ଦନ, କୁଙ୍କୁମ, ଅଳତା ଲଗେଇ
ଦୋଳିରେ ଝୁଲି ତୁ ଯା ।
ଜେଜିମା କଥାରେ ହୁଁ ମାରିଦେଇ
ବସିଲି ଦୋଳିରେ ଥିରି,
ଜେଜିମା ପଛରୁ ପହୁଞ୍ଚା କରିଲା
ହସିଲି ମୁଁ କିରିକିରି ।
ଖାଇଲି ରଜର ପାନ,
ଓଠଟି ଦିଶିଲା ନାଲିଆ ନାଲିଆ
ଭାଙ୍ଗିଲା ମୋ ଅଭିମାନ ।
ଜେଜିମା କହିଲା ରଜ ତିନିଦିନ
ପୁଅଝିଅଙ୍କର ମେଳି,
ପୁଅ ଖେଳୁଥାନ୍ତି ଡୁ..ଡୁ.. ଖୋ..ଖୋ
ଝିଅମାନେ ପୁଚି, ଦୋଳି ।
ପିଠା, ମିଠା ପାନ ଖିଆ,
ହସଖୁସୀ ଚାଲେ ମଜାମଉଜରେ
ଚାଲେ ପୁଣି ଦିଆନିଆ ।
ପାକୋଇ ଜେଜିମା ମୁଣ୍ଡକୁ ଆଉଁଷି
କହିଲା ସୁନ୍ଦର କଥା,
ଜେଜେ ପୋତିଥିଲେ ଚାରାଟିଏ ଦିନେ
ଆଜି ଟେକିଅଛି ମଥା ।
ଦୋଳି ତୁ ଖେଳିଲୁ ଡାଳେ,
ସେଇଥିପାଇଁକି ପାେତିଦେ ଚାରାଟେ
ବସୁମତୀ ସ୍ନାନ କାଳେ ।
∎
ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
17-07-2024 / 14:06:48
କବିତାଟି ମନକୁ ଛୁଇଁଲା।
ପ୍ରବୀର କୁମାର ପଣ୍ଡା,ଓଇ ଏସ ,ଟିଟିଲାଗଡ଼
09-07-2024 / 06:59:37
ବୃକ୍ଷ ରୋପଣ ସହିତ ପରମ୍ପରା ର ସମନ୍ମୟ ଖୁବ ଭଲ ହେଇଛି
ଧ୍ରୁବ ଚରଣ ଘିବେଲା
02-07-2024 / 05:13:51
ଭଲ ହୋଇଛି କବିତାଟି
ତପନ କୁମାର ସ୍ବାଇଁ
01-07-2024 / 17:30:45
ବଢ଼ିଆ କବିତା ହୋଇଛି
ଦୀନବନ୍ଧୁ କର
01-07-2024 / 15:43:35
ମନଛୁଆଁ କବିତା