କବିତା
ମୋତେ ସେ କରେ ଭାବୁକ କବି

ଏମିତି ଏକ ସକାଳ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ସକାଳେ ଗଛର ଡାଳେ
ହସୁ ନ ଥିବ ଫୁଲଟେ ଚାହିଁ ।।
ଏମିତି ଏକ ପାଦପ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ପାଦପେ ନ ଥିବ ଶାଖା
ନ ଦେବ ଯିଏ ଶୀତଳ ଛାଇ ।।
ଏମିତି ଏକ ତଟିନୀ ମୁଁ ଯେ
କେଉଁଠି କେବେ ଖୋଜିନି କାହିଁ
ଯେଉଁ ତଟିନୀ ଜଳଧାରାଟି
ମିଶୁ ନ ଥିବ ସାଗରେ ଯାଇ ।।
ଏମିତି ଏକ ଆକାଶ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ଆକାଶେ ସୂରୁଯ ଜହ୍ନ
ଦିଶୁ ନ ଥିବେ ଦେଖିଲେ ଚାହିଁ ।।
ଏମିତି ଏକ ସଞ୍ଜ ମୁଁ କେବେ
ଦିନଟେ ହେଲେ ଖୋଜିନି କାହିଁ
ଯେଉଁ ସଞ୍ଜରେ ସଞ୍ଜବତିଟି
ଜଳୁ ନ ଥିବ ଦିଅଁଙ୍କ ପାଇଁ ।।
ଏମିତି ଏକ ରାତି ମୁଁ କେବେ
ଥରୁଟେ ପାଇଁ ଖୋଜିନି କାହିଁ
ଯେଉଁ ରାତିରେ ମିଠା ସପନ
ଆସୁ ନ ଥିବ ପାଖକୁ ଧାଇଁ ।।
ଏମିତି ଏକ କୁସୁମ ମୁଁ ଯେ
କେଉଁଠି କେବେ ଖୋଜିନି କାହିଁ
ଯେଉଁ କୁସୁମେ ନ ଥିବ ବାସ
ଜନମନକୁ ମୋହିବା ପାଇଁ ।।
ଥାଇ ମୁଁ ଏଠି ଖୋଜଇ ନିତି
ମୋ ଦୁନିଆର ସୁନ୍ଦର ଛବି
ସୁନ୍ଦର ଯାହା ମୋ ପ୍ରିୟ ତାହା
ମୋତେ ସେ କରେ ଭାବୁକ କବି ।।
∎
ନିର୍ମାଲ୍ୟ
ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. – ୯୮୬୧୨୧୧୦୫୧

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
17-07-2024 / 14:20:01
କବିତାଟି କିଛି ନୂତନତ୍ତ୍ଵ ପ୍ରତିପାଦନ କରୁଥିଲା ଭଳି ମନେହୁଏ।
ଧ୍ରୁବ ଚରଣ ଘିବେଲା
02-07-2024 / 05:17:25
ବହୁତ ବଢ଼ିଆ କବିତା, ମନଲାଖି
ହରିହର ଶୁକ୍ଳ
02-07-2024 / 01:12:33
ତ୍ରୁଟିଶୂନ୍ଯ।
ହରିହର ଶୁକ୍ଳ
02-07-2024 / 01:08:39
ବେଶ୍ ମର୍ମସ୍ପର୍ଶୀ କବିତା। ତ୍ରଟିଶୂନ୍ଯ କବିତାଟି ପାଇଁ କବିଙ୍କୁ ଅଜସ୍ର ବଧେଇ।
କୁଞ୍ଜବିହାରୀ ସାହୁ
01-07-2024 / 16:12:17
ଭଲ ଲାଗିଲା