କବିତା
ଆମର ସେ କେଡେ ଭରସା

କହ ବୋଉ ମତେ କାହିଁକି ଆସିନି
ଏଯାଏଁ ମୌସୁମୀ ବରଷା
ଆସିବ ନାହିଁକି ଏଇ ସନ ଆଉ
ଆମର ସେ କେଡେ ଭରସା !
କାଗଜର ଡଙ୍ଗା ତିଆରି କରିଛି
ଭସେଇବି କହ କୋଉଠି
ପାଣି ଟୋପେ ନାହିଁ ଶୁଖିଲା ପଡିଛି
ଚାହିଁଲା ବେଳକୁ ଯୋଉଠି।
ଆର ରାଇଜରେ ବଡ ମଉଜରେ
ବରଷି ଯାଏ ସେ ହରସି
ଆମ ରାଇଜକୁ ଆସିନି ଏଯାଏଁ
ଗଲୁଣି ଆମେ ଯେ ତରଷି।
ଗଲା ସନ ବାଣ ଘଡଘଡି ସାଥେ
ଆସିଥିଲା ସିଏ ସଅଳ
ବହଳ ପାଣିର ଗହଳ ଲଗାଇ
ପକାଇଥିଲା ସେ ଚହଳ।
ଗମଗମ ଝାଳ ଦମଦମ ବୁହେ
ହୁଏ ଗୁଳୁଗୁଳି ଗରମ
ସହି ହେଉ ନାହିଁ ରହି ହେଉ ନାହିଁ
କରି ହେଉ ନାହିଁ କରମ।
ଆକାଶୁ ସୁରୁଜ ହୁଳାହୁଳା ନିଆଁ
ପୁଳାପୁଳା ସତେ ଗାଳୁଛି
ଗହଗହ ଖରା ରାଇଜଟା ସାରା
ଡହଡହ କରି ଢାଳୁଛି।
ସବୁ ଜୀବଜନ୍ତୁ ଡହଳ ବିକଳେ
ଆକୁଳେ ଅଛନ୍ତି ଅନେଇ
କୋଉ ଦିନ ସତେ ଆସିବ ମୌସୁମୀ
ଆକାଶରେ ମେଘ ଘନେଇ।
ଗଛ ମୌସୁମୀର ମିତ ପରା ବାବୁ
ଗଛ ତାକୁ ଡାକି ଆଣଇ
ଯେଉଁ ରାଇଜରେ ଗଛର ଗହଳ
ସିଏ ତାକୁ ଆଗ ଟାଣଇ।
ଗଛ ଲଗାଇବ! କମି ଆସିଲାଣି
କହିଥିଲା ସିଏ ସେଥର
ଗଛ ନ ଲଗାଇ ଗଛ କାଟିଛନ୍ତି
ଡେରିରେ ଆସିବ ଏଥର।
∎
ଏସ.ଏସ.ପି.ଏଲ , ଡି.ଆର.ଡି.ଓ. ,
ଲକ୍ଷ୍ନୌ ରୋଡ, ତିମାରପୁର,
ଦିଲ୍ଲୀ-୧୧୦୦୫୪, ମୋ-୯୫୪୦୨୩୬୬୪୬।

ଲେଖା ସମ୍ପର୍କୀୟ ମତାମତ
ହରିହର ଶୁକ୍ଳ
02-07-2024 / 00:44:49
ମନକୁ ମୋହିଲା ଭଳି କବବିତାଟିଏ। କବିଙ୍କୁ ଆନ୍ତରିକ ସୁମନାସ। ତେବେ ଅନେକ ଜାଗାରେ ବନାନ ଅଶୁଦ୍ଧି ରହିଯାଇଥିବାରୁ, ସେ ଦିଗରେ ଯତ୍ନବାନ୍ ହେବାର ଥିଲା।
ଦୀନବନ୍ଧୁ କର
01-07-2024 / 15:40:29
ମନଛୁଆଁ କବିତା
ବିଜୟକୁମାର ଛାଟୋଇ
01-07-2024 / 12:20:15
ବଢିଆ
ଧ୍ରୁବ ଚରଣ ଘିବେଲା
01-07-2024 / 12:18:11
ବହୁତ ବଢ଼ିଆ କବିତା ପିଲାଙ୍କ ପାଇଁ