ଗପ
ନେହେରୁଙ୍କ କଲମ ଚୋରୀ

ଦୁନିଆଁର ସବୁ ଶିଶୁ ପ୍ରାୟ ଏକାଭଳି ଲାଗନ୍ତି। ସମସ୍ତେ ଏମିତି ଧୂଳିଵାଲିରେ ଖେଳନ୍ତି, ଅଝଟ କରନ୍ତି, କାନ୍ଦନ୍ତି, ହସନ୍ତି ପୁଣି କାହାଣୀ ଶୁଣିବାକୁ ଭଲପାଆନ୍ତି। ସେହିମାନଙ୍କ ମଧ୍ୟରୁ କେଉଁମାନଙ୍କର ଟିକିଏ ଟିକିଏ ଅଲଗା ଗୁଣ ଥାଏ। ଯେଉଁ ମାନଙ୍କର ଅଧିକ ଭଲ ଗୁଣ ଥାଏ ସେ ବଡ଼ ହେଲେ ଭଲ ମଣିଷଟିଏ ହୋଇଥାଏ। ଯେଉଁ ମାନଙ୍କର ଜୀବନ ସମାଜ ପାଇଁ ଓ ଦେଶ ପାଇଁ ଉତ୍ସର୍ଗ ହୋଇଥାଏ ତାହାଙ୍କୁ ଆମେ ବଡ଼ ଲୋକ ବା ମହାପୁରୁଷ ଵୋଲି କହିଥାଉ। ସେହି ବଡ଼ ଲୋକମାନେ ବି ପିଲାବେଳେ ଛୋଟ ଛୋଟ ଭୁଲ୍ କରିଥାନ୍ତି। ନିଜର ଭୁଲ ଵୁଝିପାରି ଅନୁତାପ କରନ୍ତି ଆଉ ପୁନର୍ବାର ସେହି ଭୁଲ୍ ନ କରିଵା ପାଇଁ ଶପଥ ନେଇଥାନ୍ତି। ପ୍ରକୃତରେ ସେମାନଙ୍କ ଜୀବନ ଧନ୍ୟ ହୋଇଥାଏ। ଏହିପରି ମହାପୁରୁଷମାନଙ୍କ ମଧ୍ୟରେ ଆମ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଜଵାହାରଲାଲ୍ ନେହେରୁ ଥିଲେ ଅନ୍ୟତମ।
୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଏଲାହାବାଦ ସହରର ଆନନ୍ଦ ଭବନରେ ଜନ୍ମ ନେଇଥିଲେ ସେହି ଦିଵ୍ୟଶିଶୁ। ଜଵାଫୁଲ ପରି ଅତି ସୁନ୍ଦର ଚେହେରା ଦେଖି ପିତାମାତା ଆଦରରେ ତାଙ୍କର ନାମ ରଖିଥିଲେ ଜବାହାରଲାଲ । ପିତା ମୋତିଲାଲ ନେହେରୁ ଥିଲେ ଜଣେ ଵିଶିଷ୍ଟ ଓକିଲ ଓ ମାତା ସ୍ଵରୂପା ନେହେରୁ ଥିଲେ ଜଣେ ଧର୍ମପ୍ରାଣା ମହିଳା। ଅତି ଗେଲଵସରରେ ଜଵାହାରଙ୍କ ପିଲାଦିନ କଟିଥିଲା। ପିତା ଓକିଲ ଥିବାରୁ ଵହୁ ଲୋକ ତାଙ୍କ ଘରକୁ ଯା`ଆସ କରୁଥିଲେ।
ଥରେ ପିତା ମୋତିଲାଲ ନେହେରୁ କୋଉଣସି ଏକ ଜରୁରୀ କାମରେ ବାହାରକୁ ଯାଇଥାନ୍ତି। କଚେରୀ ଘର ଖାଲି ପଡ଼ିଥାଏ। ଶିଶୁ ଜଵାହର କୋଉତୂହଳରେ କଚେରୀ ଘରକୁ ପ୍ରବେଶ କଲେ। ହଠାତ୍ ତାଙ୍କ ନଜର ପଡ଼ିଲା ପିତାଙ୍କ ଟେଵୁଲ ଉପରେ। ଟେବୁଲ୍ ର କଲମଦାନୀରେ ନାଲି ଆଉ ନେଳୀର ଦୁଇଟି କଲମ ଥିଲା। ଭାରି ସୁନ୍ଦର ଆଉ ଲୋଭନୀୟ ଦିଶୁଥିଲା କଲମ ଦୁଇଟି। ଜଵାହର ସେଥିରୁ ଗୋଟିଏ ନେବାପାଇଁ ଇଚ୍ଛା କରି ଦାନୀ ପାଖକୁ ଗଲେ ଏବଂ ସେଥିରୁ ଗୋଟିଏ ଧରି ଖୁବ୍ ଶୀଘ୍ର ଫେରିଆସିଲେ।
ମୋତିଲାଲ ପରଦିନ ଫେରିଆସି କିଛି ଲେଖିଵା ପାଇଁ କଚେରୀ ଘରକୁ ଗଲେ। କଲମ ଆଣିବାକୁ ହାତ ଵଢାଇଵାରୁ ଦେଖିଲେ କଲମଦାନୀରେ ଥିଵା ଦୁଇଟି କଲମରୁ ଗୋଟିଏ ନାହିଁ। ଏହା ଦେଖି ସେ ଖୁବ୍ ଜୋରରେ ପାଟି କରି ଉଠିଲେ। ତାଙ୍କ ପାଟି ଶୁଣି ସମସ୍ତେ ଦୋଉଢି ଆସିଲେ। କଲମ ଚୋରୀ କଥା ଶୁଣି କେହି ନେଇ ନାହାନ୍ତି ଵୋଲି କହିଲେ। ପାଖରେ ଜଵାହର ଠିଆ ହୋଇଥିଲେ । ସେ ପିତାଙ୍କ ପାଟି ଶୁଣି ଭୟରେ ଥରୁଥାଆନ୍ତି। କ`ଣ ବା ସେ କରିବେ କିଛି ଭାଵି ପାରୁ ନଥାନ୍ତି। "ମିଛ କହି ବାପାଙ୍କୁ ଠକିଦେଵେ ନା ସତ କହି ପିତାଙ୍କଠାରୁ ଦଣ୍ଡ ପାଇବେ।" ଶେଷରେ ସତ କହି ଦଣ୍ଡ ପାଇବାକୁ ଉଚିତ୍ ମନେ କଲେ। ତାପରେ ସେ ଧିରେ ଧିରେ ପିତାଙ୍କ ପାଖକୁ ଯାଇ ମଥା ନତ କରି କହିଲେ,"ପିତା ମୁଁ ଆପଣଙ୍କ କଲମଟି ଚୋରୀ କରି ନେଇଛି। ଆପଣ ମୋତେ ଦଣ୍ଡ ଦିଅନ୍ତୁ।" ଆଖିରୁ ତାଙ୍କର ଲୁହ ଝରି ଯାଉଥିଲା। ମୋତିଲାଲ ପୁଅକୁ କିଛି ସମୟ ଚାହିଁଲେ। ପୁଅ ସତ କଥା କହିଵା ଶୁଣି ନିଆଁରେ ହଠାତ୍ ପାଣି ପଡି ଯିଵା ପରି ତାଙ୍କର ରାଗ ଶାନ୍ତ ହୋଇ ଯାଇଥିଲା। ସେ ପୁତ୍ର ଜବାହାରଙ୍କୁ କୁଣ୍ଢାଇ ପକାଇ କହିଲେ, "ପୁତ୍ର! ତୁମେ ସତ କହିଥିଵାରୁ ତୁମ ପାଇଁ ମୁଁ ଆଜି ବହୁତ ଖୁସି ଆଉ ଗର୍ବିତ। ମୁଁ ତୁମକୁ ଆଶିର୍ବାଦ କରୁଛି,ତୁମେ ଏମିତି ଭଲ କାମ କରି ଦେଶର ନାମ ରଖ। ଗୋଟିଏ କାହିଁକି ଏବେ ତୁମେ ଯେତେ ଚାହିଁବ, ସେତେ କଲମ ମୁଁ ତୁମ ପାଇଁ କିଣି ଆଣିଦେଵି।" ଏହା କହି ସେ ତାଙ୍କୁ ନିଜର ଅନ୍ୟ କଲମଟି ମଧ୍ୟ ଦେଇଦେଲେ। ଶିଶୁ ଜଵାହାର ପୁରଷ୍କାର ରୂପେ ଅନ୍ୟ କଲମଟି ପାଇ ଆନନ୍ଦରେ ନାଚି ଉଠିଲେ।
ସେଦିନର ସେହି ଶିଶୁ ସତକୁ ସତ ବଡ଼ ହୋଇ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଲେ। ଯାହାଙ୍କ ଜନ୍ମଦିନକୁ "ଶିଶୁ ଦିବସ" ରୂପେ ଆଜି ସମଗ୍ର ଭାରତବର୍ଷରେ ପାଳନ କରାଯାଉଛି।
__**__
∎

ଲେଖା ସମ୍ପର୍କୀୟ ମତାମତ