ଜ୍ଞାନବିଜ୍ଞାନ
ଅଜଣା ରାଇଜର ସବୁଜ-ବନ୍ଧୁ

ନଭେମ୍ବର ମାସ, ରାତି ୮ଟା । ଛାତ ଉପରେ ନିଜର ଦୂରବୀକ୍ଷଣ ଯନ୍ତ୍ର ଧରି ବବିତା ନିର୍ମଳ ଆକାଶକୁ ଅନେଇ ରହିଥିଲା । ଦଶ ବର୍ଷର ଝିଅ ବବିତାର ଆଖି ଅଟକି ରହିଥିଲା ନୀଳଗ୍ରହ ନେପ୍ ଚୁନ୍ ର ଉଜ୍ଜଳ ବଳୟ `ଆଦାମ୍ସ୍` ଉପରେ । ତା`ର ବିଶ୍ବାସ, `ଆଦାମ୍ସ୍` ବଳୟରେ ଏଲିଏନ୍ ଅଛନ୍ତି । ଦିନେ ନା ଦିନେ ସେମାନଙ୍କୁ ସେ ଦେଖିପାରିବ । କିଛି ସମୟ ସେହି ବଳୟକୁ ଦେଖିଲା ପରେ ଆକାଶର ସବୁ ଦିଗକୁ ଦୂରବୀକ୍ଷଣ ଯନ୍ତ୍ରକୁ ବୁଲେଇଲା । ମିଟି ମିଟି ହେଉଥିବା ତାରାମାନଙ୍କୁ ଦେଖୁଥିଲା । ଦୂର ଆକାଶରେ ଝରି ପଡୁଥିବା ଉଲକାଗୁଡ଼ାକୁ ଦେଖି ସେ ଖୁସି ହେଉଥିଲା । ଏକ ଅଜବ ଘଟଣା ଘଟିଲା । ଗୋଟିଏ ତାରା ଘନ ଘନ ମିଟି ମିଟି ହେବାର ବବିତା ଦେଖିଲା । ତା` ପାଟିରୁ ବାହାରି ପଡିଲା, “ଆରେ, ଏ କ`ଣ? କୌଣସି ତାରା ତ ଏଭଳି ମିଟି ମିଟି ହୁଏ ନାହିଁ ?” ତାରାଟି ଧୀରେ ଧୀରେ ଅଧିକ ଉଜ୍ଜଳ ଦିଶିଲା । ବବିତା କିଛି ଭାବିବା ପୂର୍ବରୁ ତାହା ସବୁଜ ଆଲୋକ ରେଖା ସୃଷ୍ଟି କରି ତାଙ୍କ ବଗିଚାରେ ଆସି ପଡ଼ିଲା । ବବିତା ଟର୍ଚ ନେଇ ବଗିଚାକୁ ଦୌଡ଼ିଗଲା । ସେ ଯାହା ଦେଖିଲା, ବିଶ୍ବାସ କରିପାରିଲା ନାହିଁ । ଗୋଟିଏ ଯାନ ଭିତରୁ ପ୍ରାଣୀଟିଏ ବାହାରିଲା, ଯାହାର ଦେହରୁ ନୀଳ ଆଲୋକ ବାହାରୁଥିଲା । ବଡ଼ ବଡ଼ ଆଖି, ଲମ୍ବା କାନ ଓ ଚନ୍ଦା ମୁଣ୍ଡ । ବବିତାର ଦେହ ଥରିଉଠିଲା ।
ପ୍ରାଣୀଟି ନରମ ସ୍ବରରେ କହିଲା, “ଭୟ କରନି, ମୁଁ ତୁମର କ୍ଷତି କରିବିନି ।” ପ୍ରାଣୀଟା କଥା କହୁଛି, ପୁଣି ଓଡ଼ିଆରେ? ବବିତାର ବିସ୍ମୟର ସୀମା ରହିଲା ନାହିଁ । ପଚାରିଲା, “ତୁମେ ଓଡ଼ିଆ କହିପାରୁଛ!” ସେ ଉତର ଦେଲା, “ମୁଁ ତୁମ ମାଟିକୁ ଛୁଇଁଲା ପରେ ଏଠାରେ ଓଡ଼ିଆ ଭାଷାରେ କଥା ହୁଅନ୍ତି ବୋଲି ଜାଣିଗଲି । ମୋ ନାମ `ଗିମୋ`। ମୁଁ `ସାନିଟା` ଗ୍ରହରୁ ଆସିଛି । ଏକ ଉଲକାକୁ ଅନୁସରଣ କରୁଥିଲି । ହଠାତ୍ ମୋ ଉଡ଼ନ୍ତା ଥାଳିଆର ଶକ୍ତି ସରିଗଲା । ତେଣୁ ମୁଁ ଅସୁବିଧାରେ ପଡି ଏଇଠି ଅବତରଣ କରିଛି ।”
ବବିତା ଭାବୁଥିଲା, ସେ ସ୍ବପ୍ନ ଦେଖୁଛି । ଡରି ଡରି ପଚାରିଲା, “ମୁଁ ତୁମକୁ କି ସାହାଯ୍ୟ କରିପାରିବି?” ଗିମୋ ଖୁସିରେ ହସିଲା ଓ ତାହାର ଆଲୋକିତ ଆଙ୍ଗୁଳି ହଲାଇଲା । ତା` ଚାରିପାଖରେ ଥିବା ଘାସ ରଙ୍ଗିନ ଆଲୋକରେ ଚମକି ଉଠିଲା । ମିଠା କଣ୍ଠରେ କହିଲା, “ମୋ ଯାନ ଚାଲିବା ପାଇଁ କିଛି ତାପ ଦରକାର । ଦେଖ, ଯାନର ଶକ୍ତି ସରି ଯାଇଛି ବୋଲି ସେହି ପତଳା ରୁପା ଦଣ୍ଡ ଦପ ଦପ ହେଉଛି । ରୁପା ଦଣ୍ଡକୁ ଗରମ କଲେ ଅଳ୍ପ ସମୟ ଭିତରେ ଯାନ ପାଇଁ ଆବଶ୍ୟକ ଶକ୍ତି ସଂଚୟ ହୋଇପାରିବ ।”
ତାପଶକ୍ତିରେ ସେହି ଯାନଟି ଚାଲେ ବୋଲି ବବିତା ଜାଣିପାରିଲା । ସେ ଘର ଭିତରକୁ ଯାଇ ଲାଇଟର୍ ଆଣି ଗିମୋ ହାତକୁ ବଢେଇଦେଲା । ଗିମୋର ଲୋମଶ ପାପୁଲିର ସ୍ପର୍ଶରେ କ୍ଷଣିକ ପାଇଁ ବବିତା ଦେହରେ ବିଜୁଳି ବେଗରେ କଂପନ ଖେଳିଗଲା । ଲାଇଟର୍ ଧରି ଗିମୋ ପଚାରିଲା, “ଏଥିରୁ କେମିତି ତାପ ବାହାରିବ ମୁଁ ଜାଣି ନାହିଁ । ତୁମେ ଦୟାକରି ରୁପା ଦଣ୍ଡକୁ ଗରମ କର ।” ଗିମୋ ହାତରୁ ଲାଇଟର୍ ଆଣି ବବିତା ତାହାର ବଟନ୍ ଚିପି ଧରିଲା । ଲାଇଟର୍ ଜଳିଉଠିଲା । ଗିମୋର ଆଖି ଉଜ୍ଜଳ ଦିଶିଲା । ବବିତା ସେହି ଆଲୋକ ଶିଖାରେ ରୁପା ଦଣ୍ଡକୁ ଗରମ କଲା । ପ୍ରାୟ ଏକ ମିନିଟ୍ ଭିତରେ ଦପ ଦପ ହେଉଥିବା ଦଣ୍ଡଟି ସ୍ଥିର ହୋଇଗଲା ଓ ସବୁଜ ଦିଶିଲା ।
ଗିମୋ ହଠାତ୍ କହିଉଠିଲା, “ବାସ୍, ହେଇଗଲା, ମୁଁ ଏବେ ମୋ ଗ୍ରହକୁ ଆରାମରେ ଯାଇପାରିବି । ଏତେ ଛୋଟ ଜିନିଷରୁ ତାପ ସୃଷ୍ଟି କରିବା ବ୍ୟବସ୍ଥା ମତେ ଭଲ ଲାଗିଲା ।” ବବିତା ବଟନ୍ ଛାଡ଼ିଦେଲା ଓ କହିଲା, “ଏହାକୁ ଲାଇଟର୍ କହନ୍ତି । ଏହା ଆଲୋକ ଓ ତାପ ଦିଏ । ମୁଁ ତୁମକୁ ଏଇଟା ଉପହାର ଦେବାକୁ ଇଚ୍ଛା କରୁଛି ।” ଗିମୋ ଖୁସି ହେଲା । ତାହାର ଆଖି ଦୁଇଟା ଉଜ୍ଜଳ ଦିଶିଲା । ଘାସଗୁଡ଼ିକ ରଙ୍ଗିନ ଆଲୋକରେ ଚମକି ଉଠିଲା । ଗିମୋ ହାତକୁ ବବିତା ଲାଇଟର୍ ବଢେଇଦେଲା । ବଦଳରେ ବବିତାକୁ ଗିମୋ ଛୋଟ ବୋତାମ୍ ଦେଇ କହିଲା, “ଅଶେଷ ଧନ୍ୟବାଦ । ରାତିରେ ଆକାଶକୁ ଦେଖି ଏହି ବୋତାମକୁ ଯଦି ଦବେଇବ, ଗୋଟିଏ ତାରା ଘନ ଘନ ମିଟି ମିଟି କରିବାର ଦେଖି ପାରିବ । ଜାଣିବ ଗିମୋ ତୁମକୁ ନମସ୍କାର କରୁଛି।”
ଗିମୋ ଲାଇଟର୍ ଧରି ଯାନ ଭିରତକୁ ପଶିଲା । ଯାନଟି ରଙ୍ଗିନ ଆଲୋକ ବିକିରଣ କରି ବିନା ଶବ୍ଦରେ ଆକାଶକୁ ଉଡ଼ିଗଲା । ଗିମୋର ସବୁଜ ଯାନ ତାରା ଗହଣରେ ଲୁଚିଲା ଯାଏ ବବିତା ହାତ ହଲାଉଥିଲା । ସେଇ ଦିନଠାରୁ ବବିତା ଦୂରବୀକ୍ଷଣ ଯନ୍ତ୍ରରେ ଆକାଶକୁ ଦେଖିବା ସମୟରେ ଗିମୋ ଦେଇଥିବା ସବୁଜ ବୋତାମକୁ ଦବେଇଦିଏ । ଅଳ୍ପ ସମୟ ଭିତରେ ଦୂର ଆକାଶରେ ଗୋଟିଏ ତାରା ଘନ ଘନ ମିଟି ମିଟି କରେ । ବବିତା ମନେ ମନେ ତା` ସବୁଜ-ବନ୍ଧୁକୁ ପ୍ରତି-ନମସ୍କାର ଜଣାଏ ।
∎
ଓ.ଇ.ଏସ୍-୧, ଆଜୀବନ ସଦସ୍ୟ, ଓଡିଶା ବିଜ୍ଞାନ ଏକାଡେମୀ ଓ ଶିଶୁ-କିଶୋର ସାହିତ୍ୟ ଏକାଡେମୀ,
ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ଅଟୋନମସ୍ କଲେଜ, ଭଦ୍ରକ, ଫୋନ୍-୯୪୩୯୫୦୧୬୫୧

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
02-12-2025 / 18:48:40
ସୁନ୍ଦର ମନଛୁଆଁ ବିଗ୍ଯାନ ଭିତ୍ତିକ ଲେଖାଟି ଏ।
ହରିପ୍ରିୟା ପଟ୍ଟନାୟକ।
01-12-2025 / 19:02:35
ବହୁତ ସୁନ୍ଦର ମଜାଦାର ଗଳ୍ପ।
ଲକ୍ଷ୍ମୀକାନ୍ତ ଦଳେଇ
01-12-2025 / 13:50:22
ବହୁତ ସୁନ୍ଦର। ଶୀକ୍ଷଣୀୟ।
Mohan Kumar swain
01-12-2025 / 12:30:39
ଖୁବ୍ ସୁନ୍ଦର ଲାଗିଲା
ମିନତୀ ପଟ୍ଟନାୟକ
01-12-2025 / 10:39:22
ଅତି ସୁନ୍ଦର କୌତୁକିଆ ଲେଖା ଲେଖକଙ୍କୁ ଧନ୍ୟବାଦ