ଜ୍ଞାନବିଜ୍ଞାନ
ଫ୍ଲିପ୍କାର୍ଟ୍

ଭାରତର ଏକ ପ୍ରମୁଖ ଇ-କମର୍ସ କମ୍ପାନୀ ହେଉଛି ଫ୍ଲିପ୍କାର୍ଟ। ଏହା ସହିତ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପରିଚିତ। ଘରେ ବସି ଏହା ସାହାଯ୍ୟରେ ଯେ କୌଣସି ଜିନିଷକୁ ସହଜରେ ଅର୍ଡର କରାଯାଇପାରୁଛି। ଏଥି ପାଇଁ ଦୋକାନକୁ ଯାଇ ଧାଡ଼ିରେ ଠିଆ ହେବାକୁ ପଡ଼ୁନାହିଁ। ଏଥିରେ ମଧ୍ୟ ସୁଲଭ ଦରରେ ନିଜ ଇଚ୍ଛା ଅନୁସାରେ ବିଭିନ୍ନ ସାମଗ୍ରୀକୁ ଖରିଦ କରାଯାଇପାରୁଛି। ପର୍ବପର୍ବାଣୀଗୁଡ଼ିକରେ ଏଥିରେ ବିଭିନ୍ନ ସାମଗ୍ରୀଉପରେ ଆକର୍ଷଣୀୟ ରିହାତି ଘୋଷଣା କରାଯାଉଛି। ଏଥିରେ ବିଭିନ୍ନ ରକମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ତେଜରାତି ସାମଗ୍ରୀ, ଘୋରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ପୋଷାକ,ପୁସ୍ତକ ଆଦି ସୁଲଭ ଦରରେ ମିଳିପାରୁଛି। ସେଥିପାଇଁ ଏବେ ଏହା ଘରେ ଘରେ ଲୋକପ୍ରିୟତା ହାସଲ କରିଛି। ଏବେ ବେଙ୍ଗାଲୁରୁ ସହରରେ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଏହା ବ୍ୟତୀତ ସିଙ୍ଗାପୁରରେ ମଧ୍ୟ ଏହା ଘରୋଇ କମ୍ପାନୀରୂପେ ପଞ୍ଜିକୃତ ହୋଇଛି। ଗତ ୨୦୨୨ ମସିହା ସୁଦ୍ଧା ଏହାର ରାଜସ୍ୱ ୬୧,୮୩୬ କୋଟି ଟଙ୍କାରେ ପହଂଚିଛି। ଏଥିରେ ଏବେ ୩୬,୦୦୦ କର୍ମଚାରୀ ନିଯୁକ୍ତି ପାଇଛନ୍ତି।
ଗତ ୨୦୦୭ ମସିହା ଅକ୍ଟୋବର ମାସରେ ଦୁଇ ଭାରତୀୟ ଶିଳ୍ପଦ୍ୟୋଗୀ ସଚିନ୍ ବନ୍ସଲ ଓ ବିନୀ ବନ୍ସଲ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ। ଉଭୟ ସଚିନ ଓ ବିନୀ ଉଭୟ ଆଇଆଇଟି ଦିଲ୍ଲୀରୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଶେଷ କରିବାପରେ ଆମାଜନ କମ୍ପାନୀରେ ଯୋଗଦେଇଥିଲେ। ଏହାପରେ ସେମାନେ ଆମାଜନ ଛାଡ଼ି ନିଜର ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହାର ନାମ ସେ ରଖିଥିଲେ ଫ୍ଲିପ୍କାର୍ଟ। ସେମାନେ ଏଥିରେ ମାତ୍ର ଚାରି ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ କରିଥିଲେ। ବେଙ୍ଗାଲୁରୁର କୋରମଙ୍ଗଲ ଆପାର୍ଟମେଂଟର ଦୁଇଟି କୋଠରୀରେ ଏହା ଆରମ୍ଭ ହୋଇଥିଲା। ପ୍ରଥମେ ସେମାନେ ଏହା ଯୋଗେ ଅନଲାଇନରେ ବହି ବିକ୍ରିପାଇଁ ଏହାକୁ ଆରମ୍ଭ କରିଥିଲେ। ୨୦୦୮ ମସିହାରେ ପ୍ରତି ଦିନ ମାତ୍ର ଏଥିରେ ୧୦୦ଟି ବହି ପାଇଁ ଅର୍ଡ଼ର ଆସୁଥିଲା। ଏହାପରେ ଧିରେ ଧିରେ ଏହାର ବ୍ୟବସାୟ ବୃଦ୍ଧି ପାଇ ଚାଲିଲା। ୨୦୦୯ ମସିହାର ଶେଷ ଭାଗକୁ ଏହି କମ୍ପାନୀ ୪କୋଟି ଟଙ୍କାର ପୁସ୍ତକ ବିକ୍ରି କରିଥିଲା। ସେହି ବର୍ଷ ଭାରତରେ ଏହାର ତିନିଗୋଟି ଅଫିସ୍ରେ ୧୫୦ ଜଣ କର୍ମଚାରୀ ଥିଲେ। ଏହାପରେ ଏହା ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ସକ୍ଷମ ହେଲା। ଏହାପରେ ଗୋଟିଏ ପରେ ଗୋଟିଏ କମ୍ପାନୀ ସହ ଚୁକ୍ତିକରି ନୂଆ ନୂଆ ସାମଗ୍ରୀର କାରବାର କଲା। ଏହା ଫଳରେ ଏହାର ବ୍ୟବସାୟ ବହୁଗୁଣ ବଢ଼ିଗଲା। ଏହା ଆମାଜନ, ଆଲିବାବାପରି ପୃଥିବୀର ପ୍ରମୁଖ ଇ-କମର୍ସ କମ୍ପାନୀ ସହିତ ପ୍ରତିଯୋଗିତା କଲା। ୨୦୧୮ ମସିହାରେ ଭାରତୀୟ ବଜାରରେ ଏହାର କାରବାର ୩୧.୯ ଭାଗ ରହିଥିଲା। ସେତେବେଳେ ଭାରତରେ ଆମାଜନର କାରବାରର ଅଂଶ ଥିଲା ୩୧.୨ ଭାଗ। ୨୦୧୮ ମସିହା ଅଗଷ୍ଟ ମାସରେ ଏହି କମ୍ପାନୀର ମୂଲ୍ୟ ୨୦୦୦ କୋଟି ଡଲାର ରହିଥିଲା। ଆମେରିକାର ୱାଲମାର୍ଟ କମ୍ପାନୀ ୧୬୦୦ କୋଟି ଡଲାର ବ୍ୟୟରେ ଏହାର ୭୭ ପ୍ରତିଶତ ଅଂଶଧନ କିଣିଥିଲା। ୨୦୨୨ ମସିହା ବେଳକୁ ଏହାର ମୂଲ୍ୟ ୩୭୦୦ କୋଟି ଡଲାରରେ ପହଂଚିଛି। ଏବେ ଏହାର ୮୦ରୁ ଅଧିକ ବିଭାଗରେ ୧୫୦ ନିୟୁତ ସାମଗ୍ରୀ ରହିଛି। ଏହାର ୨୦ କୋଟି ପଞ୍ଜିକୃତ ଗ୍ରାହକ ରହିଛନ୍ତି। ୨୦୧୫ ମସିହାରେ ଏହାର ଦୁଇ ପ୍ରତିଷ୍ଠାତା ସଚିନ ଓ ବିନୀ ବନ୍ସଲ ଫୋର୍ବସ ଇଣ୍ଡିଆର ଧନୀ ତାଲିକାର ୮୬ ତମ ସ୍ଥାନ ପାଇଥିଲେ।
∎ହାଉସିଂ ବୋର୍ଡ କଲୋନୀ, ଗୁରୁଜଙ୍ଗ, ଖୋର୍ଦ୍ଧା,
ଓଡ଼ିଶା , ପିନ୍-୭୫୨୦୫୫
ମୋ- ୭୦୦୮୬୬୨୩୪୧

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
02-12-2025 / 18:45:13
ତଥ୍ଯ ଭିତ୍ତିକ ଉପାଦେୟ ଲେଖାଟିଏ
ଅନନ୍ତ କୁମାର ସେନାପତି
01-12-2025 / 18:59:19
ଅନେକ ଧନ୍ୟବାଦ ଶିଶୁମାନଙ୍କ ପାଇଁ ଉପଯୋଗୀ ଲେଖା
Mohan Kumar swain
01-12-2025 / 12:11:34
ସମୟ ଉପଯୋଗୀ ଉପାଦେୟ ଲେଖା