କବିତା
ବରଷା ପାଗକୁ କୁନି ପୁଅଟି

ବରଷା ପାଗରେ କୁନି ପୁଅଟି
ମା`କୋଳରୁ ସେ ପାଉନି ଛୁଟି
କେଉଁଠି ଖେଳିବ ଯାଇ
ଓଦା ପିଣ୍ଡା ପୁଣି ଗୋବର ଲିପା
ମାଆ ମନ ମାନୁନାହିଁ l
ଭିତର ପିଣ୍ଡା ଟା କଣରେ ଚୁଲି
ଜାଳ କାଠ ସବୁ ରହିଚି ପୁରି
ଖେଳୁ ଖେଳୁ ବାଜି ଗଲେ
ଶାଶୁ ଶଶୁର ମୋ ଚିହିଁକି ଉଠିବେ
ଛୁଆର କାନ୍ଦ ଶୁଣିଲେ l
ଘରବୋଲି ମୋଟେ ଦୁଇ ବଖରା
ଏଣୁ ତେଣୁ କେତେ ଜିନିଷ ଭରା
ଗୋଟେ ବଖାରରେ ଭାଡ଼ି
ଭାଡ଼ିରେ ରହିଛି ଧାନ ଓଳିଆ
ଖଟଗୋଟେ ଅଛି ପଡି l
କେଉଁଠି ଚାଲୁଣି କେଉଁଠିକୁଲା
ନାଳିଆ,ପାଛିଆ, ଚାଲୁଣି, ଡାଲା
କେଉଁଠି ଖେଳିବ ପୁଅ
ଫିଙ୍ଗି ଫାଙ୍ଗି ସବୁ ଅସନା କରିବ
କେତେ ସଜାଡ଼ିବି କୁହ l
କାଖରେ କୋଳରେ ରହୁନି ମୋଟେ
ଖେଳିବାକୁ ଖାଲି ଗୋଡ଼କୁ ଛାଟେ
ତଳେ ଦେଲେ ଟିକେ ଛାଡି
କଅଁଳ ପାଦରେ ଠୁକୁ ଠୁକୁ କରି
ଦୁଆରକୁ ଯାଏ ମାଡି l
ଛାଡିଯା ବରଷା ଦିନେ ଓଳିଏ
ସୁରୁଜ ଆଲୁଅ ପଡୁ ଘଡିଏ
କୁନି ପୁଅ କାଖ ହୋଇ
ବାଡ଼ିଘର ଟିକେ ଆସିଲେ ବୁଲି
ଶାନ୍ତିରେ ପଡିବ ଶୋଇ l
***
∎
ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ,
କେନ୍ଦୁଝରଗଡ଼

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
02-10-2025 / 21:57:16
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ସ୍ୱର୍ଣ୍ଣଲତା ତ୍ରିପାଠୀ
02-10-2025 / 20:01:54
ବହୁତ୍ ସୁନ୍ଦର ଶିଶୁ କବିତା ।
ଲକ୍ଷ୍ମୀକାନ୍ତ ଦଳେଇ
01-10-2025 / 11:55:25
ସୁନ୍ଦର କବିତା