କବିତା
ଅତୁଲ ସୁନ୍ଦର ଦାନ

ଆସିଛି ଶରତ ଆମ ଏ ମରତ
ପାର୍ବଣର ଋତୁ ଇଏ,
ଶ୍ବେତ କାଶତଣ୍ଡି ଏ ଋତୁ ଏରୁଣ୍ଡି
ଆସିବା ସୂଚନା ଦିଏ ।
ଗହୀରମଥାରେ ନଈ ପଠା ପରେ
ରାସ୍ତା ଘାଟ ଦୁଇ ପାଶେ,
ଭାରି ମନ ଲୋଭା ପ୍ରକୃତିର ଆଭା
କାଶତଣ୍ଡି ପାଇଁ ଦିଶେ ।
ଲାଗେ ଶ୍ବେତ ଶାଢ଼ୀ ହୋଇଅଛି ଘୋଡି
ଧରଣୀ ମାଆ ତା ଦେହେ,
ଏମିତି ତା ରୂପ ଥରେ ଦେଖେ ଯିଏ
ନଜର ଅଟକି ରହେ ।
ଜଗତ ଜନନୀ ଆଗମନ ଜାଣି
ଚାମର ହଲାଏ ସିଏ,
ପବନରେ ଝୁଲି ଗୀତ ଗାଏ ଫୁଲି
ତା`ପରି ହେବରେ କିଏ ?
ତାକୁ ଯେ ଦେଖିଚି ଭୁଲି କି ପାରିଛି
ସ୍ବତନ୍ତ୍ର ତାହାର ସ୍ଥାନ,
ଶରତ କାଳରେ ଧରଣୀ କୋଳରେ
ଅତୁଲ ସୁନ୍ଦର ଦାନ ।
ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
02-10-2025 / 21:59:07
ଭଲ ଲାଗିଲା କବିତା ଟି