Skip to content
ଶିଶୁ କିଶୋର

କବିତା

ଅଜା ବାହାରିଲେ ହାଟ

ଅଜା ବାହାରିଲେ ହାଟ

ସଜବାଜ ହୋଇ ଗାଆଁ ହାଟକୁ ଯେ
ଅଜା ବାହାରିଲେ ବୁଲି
ଆଈ କହିଲେଣି ଆଣିଥିବ ମାଛ
ଜଳାଉଛି ମୁହିଁ ଚୂଲି।
ଅଜାଙ୍କୁ ଦେଖିକି ନାତି କହିଲାଣି,
ଯିବି ତମ ସାଥେ ଅଜା
ହାଟରୁ ଆଣିବି ମୋ` ପସନ୍ଦ ଚିଜ
ପାଇବି ମୁଁ କେତେ ମଜା।
ନ କରି ପାରିଲେ ନାତିକୁ ମନା ଯେ
ସଙ୍ଗେ ବାହାରିଲା ନାତି
ହାତ ଧରି ଚାଲେ ଅଜା ସାଥେ ନାତି
ଗରବେ ଫୁଲାଇ ଛାତି।
ବାଟରେ ଦେଖିଲେ ମାଙ୍କଡ ନାଚ ଯେ
ନ ଘୁଞ୍ଚିଲା ତିଳେ ପାଦ
ଆଈ ଚାହିଁଥିଲେ ଫେରିବା ବାଟକୁ
ଗଣୁଥିଲେ ପରମାଦ।
ଦୋକାନେ ଦେଖିଲେ ବିକା ହୁଏ ଖଜା
ନାତି କହେ କିଣିବାକୁ
ପକେଟରୁ ଟଙ୍କା କାଢିଥିଲେ ଅଜା
ଦେବାପାଇଁ ଦୋକାନୀକୁ ।
ଖଜାରେ ସନ୍ତୁଷ୍ଟ ନ ହୋଇଲା ନାତି
କହିଲା,କିଣିବ ବରା
ଆଳୁଦମ୍ କିବା ଲାଗୁଥିଲା ଭଲ
ନ ଦେଲା ନାତି ଯେ ଧରା।
ଅଜାନାତି ଦୁହେଁ ହୋଇଲେ ଅଲଗା
ଭେଟ ନ ହୋଇଲା ତାଙ୍କ
ଚିନ୍ତା ଯେ ପଶିଲା ଅଜାଙ୍କ ମୁଣ୍ଡରେ
ମୁହଁ କିବା ହେଲା ବାଙ୍କ।
ଦୂରରୁ ଦେଖିଲେ ଆସୁଅଛି ନାତି
ବେଲୁନ୍ ଧରିଛି ହାତେ
ପାଖକୁ ସେ ଆସି କହିଲା ଅଜାଙ୍କୁ
ସାଙ୍ଗ ଦେଇଅଛି ମୋତେ।
ଚାଲ ଫେରିଯିବା କହିଲେଣି ଅଜା
ମାଛ କିଣା ପଛେ ଥାଉ
ଘୂରିବଣି ମଥା ଆଈଙ୍କର ତେଣେ
ପହଞ୍ଚିବା ବେଳ ଥାଉ।
ଅଜାଙ୍କ ବଚନ ମାନିଲା ସହସା
କାନ ଧରି କହେ ନାତି
ତୁମ ହାତ କେବେ ଛାଡ଼ିବିନି ଅଜା
ନ ଯିବି କାହାର କତି।
∎
ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ।
ମୋ-9437181196.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମହେନ୍ଦ୍ର କୁମାର ଦାଶ

04-05-2025 / 13:51:47

ଅଜାନାତି କବିତା ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion