କବିତା
ହସି ହସାଇବା ଆମରି ଗାଆଁ

ପଡିଶା ଘରର ନୂଆ କନିଆଁ
ବେଣୀ ପାରେ ଧରି ସରୁ ପାନିଆ
ଆଇ ଡାକ ଦିଏ ଆରେ ଘନିଆ,
ତୋଳି ଆଣ୍ ଶାଗ ସୁନୁସୁନିଆ
ବଢିଛି ବାଡିରେ ଛନ ଛନିଆ।
ପସରା ଆଣିଛି ମନମନିଆ
ଘେରିଗଲେ ତାକୁ ରୁନୁ, ଝୁନିଆ
କୁନି ପୁଅ କଥା ଖନଖନିଆ
ଗୁହାଳେ ବାଛୁରୀ ଆମ ସନିଆ
ଡେଉଁଅଛି ଖାଲି କନକନିଆ।
ମାଇଁ ଧରାଉଛି ଚୁଲିରେ ନିଆଁ
ରୁଟି ବେଲି ଦିଏ ମାମୁଁ ମଣିଆ
ଘରକୁ ଆସିବେ ଆଜି କୁଣିଆ
ମିଠା ଖାଇ ଯାଏ ଚଗଲା ଟୁଆଁ
ଜାଣି ଦେଲେ ମାଇଁ ଦାଗିବ ଚିଆଁ।
ମାଳା ଗଡାଉଛି ଫକୀର ମିଆଁ
ଭୋଳା ବଜାଉଛି ହାର ମାନିଆ
ଆର ସାହୀ ବୁଢା କୀରିତନିଆ
ଚାଲିଗଲା ଛାଡି ଏଇ ଦୁନିଆ
ଏ କଥାକୁ ଏତେ ଖାତର କିଆଁ?
ଜୀବନ ଆମର ଦୁଇ ଦିନିଆ
ଖୁସିରେ ରହିବା ନୋହି ଛାନିଆଁ
ମଧୁର ସୁବାସ ବିତରି ଆହା
ଜଗତେ ରଖିବା ଦେଶର ନାଆଁ
ହସି ହସାଇବା ଆମରି ଗାଆଁ।
କୋଟିତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦-୧୪୩୨୨

ଲେଖା ସମ୍ପର୍କୀୟ ମତାମତ
ପ୍ରଶାନ୍ତ କୁମାର ଦାଶ
02-05-2025 / 10:59:44
ବହୁତ୍ ସୁନ୍ଦର୍ କବିତା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ସହ ନମସ୍କାର ଜଣାଉଛି
ଅନନ୍ତ କୁମାର ସେନାପତି
01-05-2025 / 18:36:59
ବହୁତ ସୁନ୍ଦର କବିତା
ମିନତି ପଟ୍ଟନାୟକ
01-05-2025 / 13:30:40
ସୁନ୍ଦର ହେଇଛି madam
ବୀରେନ୍ଦ୍ର ମହାନ୍ତି
01-05-2025 / 09:41:09
ଖୁବ୍ ସୁନ୍ଦର ଲେଖା
Dhananjaya swain
01-05-2025 / 08:35:27
ଚମତ୍କାର