କବିତା
ଶରତସକାଳ ଖରା

ସଵୁଜପତରେ ଘାସଗାଲିଚାରେ
ରାତିର ଶିଶିର ଖସେ
ଶରତସକାଳ ଖରା ଝଲମଲ
ଗାଆଁ ଓ ସହର ହସେ ।।
ପୂରୁବ ଆକାଶ ସିନ୍ଦୁରା ଫାଟିଲେ
ନୂଆସୂରୁଜଟି ଦିଶେ
କଳକଳ ନଈ ଗୀତ ଗାଇ ଗାଇ
ଦରିଆ ଦେହରେ ମିଶେ ।।
ଉଛୁଳି ଉଠିକି ପାହାଡ ପାଦରେ
ଝରଣାଟି କରେ ନାଚ
ଉଡିଯାଏ ପକ୍ଷୀ ଦୂର ଆକାଶରେ
ପହଁରି ଖେଳଇ ମାଛ ।।
ନରମ ସୁନେଲି ଖରା ହସୁଥାଏ
ଶେଫାଳିର ବାସ ଛୁଟେ
ନାଚୁଥାଏ ହଲି ଧଳା କାଶତଣ୍ଡୀ
ଵଗିଚାରେ ଫୁଲଫୁଟେ ।।
ତରତରହେଇ ଗାଧୁଆ ସାରନ୍ତି
ନଈତୁଠେ ନୂଆବୋହୂ
ଦଶହରା ପାଇଁ ପିଠାକରେ ବୋଉ
ଢାଳି ଓଠୁ ହସମହୁ ।।
ହେବ ଦେବୀପୂଜା ଗାଆଁ ସହରରେ
ଚାଲିଲାଣି ସାଜସଜା
ଦରଶନ କରି ଦୁଃଖ ଜଣାଇବେ
ମାଆଙ୍କୁ ନିତେଇଅଜା ।।
ଭୋଜିଭାତ ମଜା କରି ରାଣୀ ରଜା
କାଟିବେ ଦଶରା ଛୁଟି
ଦେବୀଙ୍କ ପାଦରେ ଶରଣ ପଶିବେ
ପାଠପଢା ପିଲା ଜୁଟି ।।
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ