କବିତା
ଫୁଲ, କିଏ ହେବ ତୋର ତୁଲ

ଆମର ସଂସ୍କୃତି ପର୍ବପର୍ବାଣୀ ରେ
ଫୁଲ ର ଗୁରୁତ୍ଵ ବହୁତ,
କେଉଁ ପରବରେ ଫୁଲ ଲୋଡା ନାହିଁ
ଏଇ କଥାଟିକୁ କୁହତ !
ଶନି ଦେବ ପ୍ରିୟ ସେ ଅପରାଜିତା
ଦେବୀଙ୍କର ପ୍ରିୟ ମନ୍ଦାର,
ଶ୍ବେତ ପଦ୍ମ,ମଲ୍ଲୀ ସରସ୍ବତୀ ପ୍ରିୟ
ଦେଖିବାକୁ ବଡ଼ ସୁନ୍ଦର ।
ଅରଖ, ଦୁଦୁରା,ଚମ୍ପା ନାଗେଶ୍ଵର
ଅଟେ ଶିବ ପ୍ରିୟ ସୁମନ,
ରାଧାକୃଷ୍ଣ ପ୍ରିୟ ଯୁଇ କୁନ୍ଦ ମଲ୍ଲୀ
ଶୋଭା ପାଇଥାନ୍ତି ବିମାନ ।
ଜନମ ଦିନରେ ଫୁଲ ତୋଡା ଦିଅ
ଫୁଲ ମାଳ ଶବ ଦେହରେ,
ନେତାଙ୍କ ବେକରେ ଫୁଲ ହାର ପଡ଼େ
ଶୋଭାଯାତ୍ରା ବୁଲେ ସହରେ ।
ନୂଆ ଅଧିକାରୀ ଆସି କାର୍ଯ୍ୟାଳୟ
ପୁଷ୍ପଗୁଚ୍ଛ ପାଇ ଥାଆନ୍ତି,
ବାବା,ପ୍ରବାଚକ ଫୁଲ ହାର ପିନ୍ଧି
ବକ୍ତୃତା,ଭଜନ ଗାଆନ୍ତି ।
ବାହାଘର ଆଉ ବ୍ରତଘର ପାଇଁ
କୁସୁମର ବଡ଼ ଚାହିଦା,
ସାଥୀକୁ ଦେଲେ ସେ ଖୁସି ହୋଇଥାଏ
ମିଳିଥାଏ ସ୍ନେହ ଫାଇଦା ।
କୋମଳତା ଆଉ ମନ ଜିଣା ରଙ୍ଗ
ସବୁ ଫୁଲ ଦେହେ ରହିଛି,
ପବିତ୍ରତା ସହ ଭକ୍ତି ଭାବ ଆସେ
ତେଣୁ ସେ ଆଦର ପାଉଛି ।
ଫୁଲର ମହିମା ଗାଉଛି ।
∎
ସମ୍ପାଦକ,ମଧୁମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
Jayakrushna Sahu
03-05-2025 / 06:30:38
ଫୁଲର ସୁନ୍ଦର ଗୁଣ ଗାନ କରିଛନ୍ତି। ଭଲଲାଗିଲା।
ନିରଞ୍ଜନ ପତି
01-05-2025 / 15:00:02
ଧନ୍ୟବାଦ ଅର୍ପଣ କରୁଛି ମହାଶୟ । ନମସ୍ତେ । ଜୟ ଜଗନ୍ନାଥ ।
ରାଧାମାଧବ ରଥ।
01-05-2025 / 14:35:12
ଭାବ ପୂର୍ଣ୍ଣ କବିତାଟିଏ। ପାଠକପାଠିକାଙ୍କ ମନକୁ ଛୁଇଁବ।