କବିତା
ଆମ ଗାଡ଼ିଆଟି ଭାରି ଵଢି଼ଆ

ଜେଜେ ଖୋଳିଥିଲେ ଆମ ବାରିଆଡ଼େ
ସୁନ୍ଦର ଛୋଟିଆ ଗାଡ଼ିଆ
ଖଞ୍ଜି ଦେଇଥିଲେ ପଥର ପାହାଚ
ଦିଶୁଥିଲା ଭାରି ଵଢି଼ଆ।
ଗାଧୁଆ ଘାଟରେ ଗାଧୋଇପାଧୋଇ
ଯାଉଥିଲେ ଲୋକେ ଖୁସିରେ
ଗୋଡ଼ ହଲାଇ ମୁଁ ପାଣି ଚଵ ଚଵ
କରୁଥିଲି ସେଠି ଵସିରେ।
ଗଡ଼ିଆ ହୁଡ଼ାରେ ଶୋଭା ପାଉଥିଲା
ଧାଡ଼ି ଧାଡ଼ି ଗଛ ନଡ଼ିଆ
ଗଡ଼ିଆକୁ ଲାଗି ରହିଥିଲା ଏକ
ସୁନ୍ଦରିଆ ଖେଳପଡ଼ିଆ।
ଜଳେ ନାଲି ନାଲି କଇଁଫୁଲ ଫୁଟି
ଦିଶୁଥିଲା ଭାରି ସୁନ୍ଦର
ମହୁମାଛି ଆସି ମହୁ ଖାଇବାକୁ
କରିଥିଲେ କେଲେ ହୁନ୍ଦର।
ଜାତି ଜାତି ମାଛ ଦଳ ଦଳ ହୋଇ
ଖେଳିଵୁଲୁଥିଲେ ହଜାରେ
ସଂଜଵେଳେ ବସି ଦେଖି ତାଙ୍କ ଖୁସି
ଆମେ ହସୁଥିଲୁ ମଜାରେ।
କାଚକେନ୍ଦୁ ଜଳ ଭାରି ନିରିମଳ
ଚାହିଁଦେଲେ ମୁହଁ ଦିଶଇ
ମୁଉଁ ହସିଦେଲେ ମୋର ପ୍ରତିଛବି
ମୋତେ ଦେଖି ଜଳେ ହସଇ
ଜେଜେ ଭାରି ମନେ ପଡ଼ନ୍ତି,
ଇଚ୍ଛା ହୁଏ ମୋର ଖଟଟେ ପକାଇ
ତା` କୂଳରେ ମୁଁ ଗଡନ୍ତି।
∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ
ବୀରେନ୍ଦ୍ର ମହାନ୍ତି
01-05-2025 / 21:36:40
କବିତାଟି ଭାରି ବଢିଆ ମନେପଡେ ଆମ ଗଡିଆ ଗଡିଆ ହୁଡାରେ ଧାଡି ଧାଡି ହୋଇ ଲାଗିଥାଏ ଗଛ ନଡିଆ।
ନିରଞ୍ଜନ ପତି
01-05-2025 / 15:11:32
ଭଲ ଭାବ ବ୍ୟଞ୍ଜକ କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ନମସ୍ତେ । ଜୟ ଜଗନ୍ନାଥ ।
ମିନତି ପଟ୍ଟନାୟକ
01-05-2025 / 09:43:23
ଭାଇଙ୍କ ଲେଖା ମନକୁ ଛୁଇଁଲା