କବିତା
ସରଗ ସୁଷମା ଇଏ

କଅଁଳ ସୂରୁଜ ଆଲୁଅରେ ଦେଖ
ସୁନା ଝରା ରୂପ ନଈର ଜଳ
ମନ ଛୁଆଁ ରଙ୍ଗେ ଝଲସି ଉଠୁଛି
କି ସୁନ୍ଦର ଵେଶେ ଆକାଶ ସ୍ଥଳ ।
ସୁଲୁ ସୁଲୁ ବାଆ ବହି ଦେହ ଛୁଇଁ
ଦେଖୁନ କେମିତି ଆରାମ ଲାଗେ
ସରୁ ନଈ ଧାର ଗାଆଁ କଡ଼େ କଡ଼େ
ଅଙ୍କା ବଙ୍କା ହୋଇ ବହେ କି ବାଗେ !
ଗାଆଁ ମୁଣ୍ଡ ଆମ ଶିବ ମନ୍ଦିରରେ
ମଧୁର ଭକତି ଗୀତର ସୁର
ଶଙ୍ଖ ଘଣ୍ଟ ଝାଞ୍ଜ ମର୍ଦ୍ଦଳ ବାଦ୍ୟର
ଲହରୀ ଖେଳଇ କେତେ ଯେ ଦୂର ।
କୁନି ପଚାରୁଛି ବୋଉକୁ ତାହାର
ସରଗ ସୁଷମା କେମିତି କହ
ବୋଉ ହାତ ଧରି ପ୍ରକୃତିକୁ ନେଇ
କହନ୍ତି ଦେଖିବୁ ଟିକିଏ ରହ ।
ବୋଉ କୁନି ମୁହଁ ଚାହିଁ କହୁଛନ୍ତି
ଏଇ ଯୋଉ ଦେଖୁ ସୁନ୍ଦର ବେଶ
ଏଇ ସବୁ ପରା ସରଗ ସୁଷମା
ୟାକୁ ନେଇ ଶୋହେ ଆମରି ଦେଶ ।
∎
ମିଶ୍ର କଲୋନୀ
ଶାଳ ପଡ଼ା , କେନ୍ଦୁଝର
ଦୂରଭାଷ – ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ
ଉମାକାନ୍ତ ବେହେରା
30-06-2026 / 16:05:23
ନୂତନ ଧାରାର ଲେଖା. ସୁନ୍ଦର