କବିତା
ମହକିବି ଦିନେ ଫୁଲ ପରିକା

ଭାରି ଖୁସି ଲାଗେ ଖେଳିବାକୁ ସାଥେ
କଅଁଳ ପାଦରେ ଧାଇଁକି,
ଅବୁଝା ମନ ମୋ ଘୁରି ବୁଲୁଥାଏ
ନୂଆ ସପନଟେ ପାଇଁକି ।
ଖାତିର ନ କରେ କୁହୁଡି କାକର
ଅବା ଖରାତାତି ବରଷା,
ଖେଳୁ ଖେଳୁ ପଥେ ଥକିଯାଏ ଯେବେ
ମାଆର କୋଳଟି ଭରସା ।
ଡରିଯିବି ନାହିଁ ଉଡିବାକୁ ନଭେ
ବଣ ପରବତ ସାଗର,
ଏଇ ହାତେ ମୋର ଜନମମାଟିକୁ
ଗଢ଼ିଦେବି କେତେ ବାଗର ।
କେବେ ଝରିଯିବି ଝରଣା ପରି ମୁଁ
କୁଳୁ କୁଳୁ ଗୀତ ଗାଇକି,
ଭଲ ଲାଗେ ଭାଙ୍ଗି ନୂଆ ଗଢିବାକୁ
ଚପଳ ମନରେ ଥାଇକି ।
ପାଇଲେ ସିନେହ ଫୁଲ ପରି ଫୁଟି
ମହକି ଉଠିବି ମାଟିରେ,
ନିତି ଦେଖେ ଯାହା ସୁନାର ସପନ
କିଏ ବା ପାରିବ କାଟିରେ ।
ଆନର ଓଠରେ ଫୁଟାଇବି ହସ
ଜ୍ଞାନର ଆଲୋକ ଜଳାଇ,
ଯଶ ଗଉରବ ଦିନେ ଏ ମାଟିରେ
ମହକି ଉଠିବ ଖେଳାଇ ।
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ