କବିତା
ମହତ କାମ

ଘୂରି ପୃଥିବୀଟି ଆପଣ ଅକ୍ଷରେ
ସରଜଇ ଦିନ ରାତି,
ନିଜେ ଜଳି ଜଳି ତାରକା ତପନ
ବିତରୁ ଅଛନ୍ତି ଜ୍ଯୋତି ।
ତମସା ହରଣ ଦୀପର ଧରମ
ଜଳୁଥାଇ ନିରନ୍ତର,
ନିଜେ ଘୋରି ହୋଇ ଚନ୍ଦନ କାଷ୍ଠଟି
ଆନକୁ କରେ ଶୀତଳ ।
କର୍ଷଣ କଷଣ ସହି ମାଟି ମାଆ
ଫୁଲ ଫଳ ଉପୁଜାଏ,
ତାପ ପାଇ ଜଳ ବାଷ୍ପ ପାଲଟି
ମେଘମାଳ ସୃଜି ଦିଏ ।
ସବୁରି କଳୁଷ ଧୋଇ ଧାଇ ନେଇ
ବହିଯାଏ ସ୍ବଚ୍ଛ ନଈ,
ମହତ ଜନଙ୍କ ଏମନ୍ତ ବେଭାର
ଜଗତ କଲ୍ଯାଣ ପାଇଁ ।
ମହତ ପଦାଙ୍କ ଅନୁସରି ନିତି
କରହେ ମହତ କାମ,
ଭଲ ମଣିଷରେ ଗଣା ହେବ ତେବେ
ଜୀବନ ହୋଇବ ଧନ୍ଯ ।
∎

ଲେଖା ସମ୍ପର୍କୀୟ ମତାମତ
Dr Purusottam Dhal
05-04-2024 / 17:19:40
ମହତ ଭାବନା ପାଇଁ ଧନ୍ୟବାଦ।
ଦୀନବନ୍ଧୁ କର
02-04-2024 / 20:54:13
ମନଛୁଆଁ କବିତା
Sanjukta parichha
02-04-2024 / 20:25:21
ବିଜ୍ଞାନଭିତ୍ତିକ ଲେଖାଟି ବଢିଆ ହୋଇଛି । ଶୁଭେଚ୍ଛା ।