କବିତା
ଗୁଡ଼ି ଓ କାଠଯୋଡ଼ି

ଉଡ଼ି ଉଡ଼ି ଯାଆ ରେ ଗୁଡ଼ି ତୁ
ଜହ୍ନ ରାଇଜକୁ ବୁଲି
ଉତ୍ତରା ବାଆ ରେ ଉଡ଼ି ଉଡ଼ି ଯିବୁ
ଯେମିତି ପବନେ ଦୋଳି।
ମକର ଯାତ ଠୁଁ ବକର ହେଲାଣି
ଶୀତ ଜମା ନାହିଁ ଆଉ
ଗାଆଁ ନଈ ପଠା ଖୋଲା ପଡ଼ିଆ ରେ
ଖେଳିବି ତୋ ସାଥେ ମୁଁ ଉଁ।
ଛାତ ପରେ ଗୁଡି ଉଡାଇବି ନାହିଁ
ସ୍କୁଲ୍ ଛୁଟି ହେଉ ହେଉ
କାଳେ ପଡ଼ି ଯିବି ସେଥିପାଇଁ ପରା
ବାରଣ କରିଛି ବୋଉ।
ମାଞ୍ଜା ସୂତା ପାଇଁ ଅଳି କରିବିନି
ଯାଇ ମୁଁ ବାପାଙ୍କ ପାଖ
ମାଂଜା ଦିଆ ସୂତା କ୍ଷୁର ଧାର ପରି
କାଳେ କଟି ଯିବ ବେକ।
ଗୁଡି ପାଇଁ ଦିନେ ଘୋ ଘୋ ଶୁଭୁ
ଥିଲା କାଠଯୋଡ଼ି ବାଲି
କିଏ ଡାକୁଥିଲା ଲଚକ୍ ମଣି ତ
କିଏ ପଟାଦାର ବୋଲି।
ଅଛି ସେ କଟକ ସହର ଅଛି ତା
କାଠଯୋଡ଼ି କୂଳ ବାଲି
ହେଲେ ନାହିଁ ଆଉ ଆଗର ଆଦର
ଅତୀତ ସେ ଯାହା ଖାଲି।।
ମୋ:୯୪୩୭୦୦୦୬୩୬

ଲେଖା ସମ୍ପର୍କୀୟ ମତାମତ
Jayakrushna Sahu
19-02-2024 / 20:07:13
କଵିତାଟିରେ ଗୁଡ଼ିଉଡ଼ାକୁ ନେଇ ପିଲାଙ୍କ ପାଇଁ ଯେଉଁ ସତର୍କ ସୂଚନା ପ୍ରତିଫଳିତ ହୋଇଛି ତାହା ପିଲାଙ୍କ ପାଇଁ ନିଶ୍ଚୟ ଉପାଦେୟ। ଭଲଲାଗିଲା। ଧନ୍ୟବାଦ୍।
ସତ୍ୟନାରାୟଣ ମିଶ୍ର
02-02-2024 / 19:48:42
କବିତାଟି ଶିଶୁ ମନଛୁଆଁ ଓ ବେଶ୍ ଆକର୍ଷଣୀୟ ହୋଇଛି।
ହରିପ୍ରିୟା ପଟ୍ଟନାୟକ
29-01-2024 / 20:10:51
ବାସ୍ତବିକ।ଆଧୁନିକତା ବଢିବା ସହିତ ପରମ୍ପରାର ର ଆଦର କମି କମି ଯାଉଛି।ଲୋକଙ୍କର ଆନନ୍ଦ ଲାଭର ଉତ୍ସ ଭିନ୍ନ ହେଇଗଲାଣି।ଭଲ ହେଇଛି କବିତା।