କବିତା
ଆଈଲୋ ଆଈ

ତୋର କଥା ଆଜି ମନେ ପଡ଼ଇ
ଗେଲ କରୁଥିଲୁ କୋଳେ ବସାଇ
କଥା କହି ତୁହି ଦେଉ ହସାଇ
ଗୀତ ଗାଇ ଗାଇ ଦେଉ ଶୁଆଇ
ଆଈଲୋ ଆଈ ତୋ କଥା...... ।୧।
ଅଝଟ ହୋଇଲେ ଦେଉ ବୁଝାଇ
ଅତି ଯତନରେ ଦେଉ ଖୁଆଇ
ଗୁଡ଼ିଆ ଆସିଲେ କିଣୁ ମିଠାଇ
ଭାଜି ଦେଉ ବୁଟ,ମଟର ତୁହି
ଆଈଲୋ ଆଈ ତୋ କଥା.......।୨।
ଯେବେ ଆଣେ କୋଳି କେନ୍ଦୁ ନିତେଇ
ଧାନ ଚାରି ମାଣ ଦେଉ ବଢ଼େଇ
ପୁନିଆଁ ପରବେ ମୁଣ୍ଡ କୁଣ୍ଢେଇ
ଅତି ଯତନରେ ଦେଉ ସଜେଇ
ଆଈଲୋ ଆଈ ତୋ କଥା....... ।୩।
ଅଜାଙ୍କ ବଟୁଆ ଦେଉ ସଜାଇ
ପାନ ଖଣ୍ଡେ ମୋଡ଼ି ଦେଉତୁ ଖାଇ
ପାକୁଆ ପାଟିକୁ ଭାରି ମାନଇ
ଅଜା ସଙ୍ଗେ ବସି ଗପିଲେ ତୁହି
ଆଈଲେ ଆଈ ତୋ କଥା....... ।୪।
ଖୋରଧା ଶାଢ଼ୀ ଟି ଭାରି ମାନଇ
ମାଲପା ତେଲକୁ ମୁଣ୍ଡେ ଲଗାଇ
ଜହ୍ମ ପରି ଟିପା ମଥାରେ ଦେଇ
କଥା ହେଲେ ଦଣ୍ଡି ଦୋହଲୁ ଥାଇ
ଆଈଲୋ ଆଈ ତୋ କଥା......।୫।
ଅଟକାଳି,ଜାଉ, ଗଇଁଠା ,ଖଇ
ନେଠା କୁଟି ରାଶି ଦେଉ ପକାଇ
ଅରୁଚି ପାଟିକୁ ରୁଚି ଲାଗଇ
ଦେଖିବା ଲୋକର ଲାଳ ଗଡ଼ଇ
ଆଈଲୋ ଆଈ ତୋ କଥା....... ।୬।
ପେଡ଼ିରେ ତାଲାକୁ ଦିଏ ଝୁଲେଇ
କାନିରେ କଞ୍ଚିକୁ ଥାଏ ଗଣ୍ଠେଇ
ଅଣ୍ଟାର କରାଟ ଦିଏ ଫିଟେଇ
ଚାରିଅଣା ଟିଏ ଦିଏ ବଢ଼େଇ
ଆଈଲୋ ଆଈ ତୋ କଥା......... ।୭।
କଥାରେ କଥାରେ ଢଗ କହଇ
ଗୀତା ଭାଗବତ ନିତି ପଢ଼ଇ
ଅବୁଝା ଲୋକକୁ ଦିଏ ବୁଝାଇ
ଗାଆଁ ପାଞ୍ଚ ଖଣ୍ଡ ତାକୁ ଜାଣଇ
ଆଈଲେ ଆଈ ତୋ କଥା........ ।୮।
ଅଜଣା ରାଇଜେ ଗଲୁ ପଳେଇ
ଆମ କଥା ଟିକେ ଭାବିଲୁ ନାହିଁ
ଆର ଜନମରେ ହେବୁ ମୋ ଆଈ
ଅପେକ୍ଷା କରିଥା ଯାଉଛି ମୁହିଁ
ଆଈଲୋ ଆଈ ତୋ କଥା......।୯।
∎
ବସୋଇ,ପର୍ଜଙ୍ଗ,ଢେଙ୍କାନାଳ
ଦୂର ଭାଷ-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ
Niranjan Sahoo
02-08-2026 / 12:34:55
ପିଲାଙ୍କ ମନଲାଖି କବିତା।
Haripriya Pattnaik
01-08-2026 / 22:24:20
ଆଉ ପାଇଁ ଲେଖାଟି ସୁନ୍ଦର ହୋଇଛି।