କବିତା
ଏ ଆଇ ତୋ ଆଈ

ଏ ଆଇ ସିନା ମଣିଷ ନୁହଁଇ
ଯନ୍ତ୍ରର ଭିତରେ ଥାଏ
ରାତି ଅଧେ ତାକୁ ପଚାରିଲେ କିଛି
ସାଥେ ସାଥେ କୁହେ ସିଏ ।
ମଣିଷ ପରିକା ପାଟି ନ ଖୋଲଇ
ଲିପିରେ ଉତ୍ତର ଦିଏ
ଶରଧାରେ କେବେ ନପାରେ କୋଳେଇ
ଆଖିକୁ ନିଦ ନ ହୁଏ ।
କେବେ ଶୁଏ ନାହିଁ ଖାଦ୍ୟଖାଏ ନାହିଁ
ସଦା ଜାଗ୍ରତ ସେ ଥାଏ
ଯେମିତିକା ପ୍ରଶ୍ନ ପଚାରିଲେ ତାକୁ
ସେ ଉତ୍ତର ଦେଇ ଦିଏ ।
ତୋ ଆଈ ତୋତେ କାଖେଇ କୋଳେଇ
ଏଠାରୁ ସେଠାକୁ ନିଏ
ଯାହା ଯାହା ସିଏ ଦେଖାଇ ଶିଖାଏ
ଜ୍ଞାନ ଯେ ତୋ ବଢ଼ୁଥାଏ ।
ତୋ ଆଈ ନଥିଲେ କାମରେ ଲଗାଉ
ଯାହା ଜ୍ଞାନ ଜମାଥାଏ
ଏଆଇ ନଥିଲେ ଯାହା ଲୋଡୁ ତୁହି
ଆଉ ଦେବ ସବୁ କିଏ ?
ତୋ ଆଈ ସହ ଏ ଆଇ ହେବନି
ଏକଥାକୁ ମନେ ରଖ
ବାତ୍ସଲ୍ୟ ମମତା ବିହୋଳ ରସରେ
ଆଈ ଟାଣି ନିଏ ପାଖ ।
ଏଆଇକୁ ଛାଡି ତୋ ଆଈକୁ ଧର
ଭବିଷ୍ୟ ହେବ ଉଜ୍ଜଳ
ନୁହଁଇ ସେ ବଡ଼ ଗଢ଼ିଛି ମଣିଷ
ଦେଇ ତାକୁ ବୁଦ୍ଧିବଳ ।
∎
ଗୋରଡ଼ା ପାଳ , କରମୁଳ
ଢେଙ୍କାନାଳ , ପିନ. ୭୫୯୦୧୪
ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
01-08-2026 / 15:55:22
ଭଲହେଇଛି କବିତା।