କବିତା
ରଜ ଆସିଛି ରଜ

ରଜ ଆସିଛି ରଜ
ବରଷେ ପରେ ହରଷ ଭରେ
କରିବ ବୋଲି ସଜ।
ତତଲା ନିଆଁ ଆକାଶୁ ଝରେ
ରହି ହେଉନି ବାହାରେ ଘରେ,
ଗୁଳୁଗୁଳି ରେ ବହଇ ଝାଳ
ଖରାବେଳଟା ହେଲାଣି କାଳ,
ଗରମ ତାତି ପବନ ମାତି
ସକାଳୁ ଚାଲେ ସଞ୍ଜ।
ପଶା,ତାଆସ , ବାଗୁଡ଼ି ଖେଳ
ଜଣା ପଡ଼େନା କଟଇ ବେଳ,
ତୋଟା ମାଳରେ ପିଲାଙ୍କ ମେଳ
ଗୁଡ଼ି ଉଡୁନି ସୂତା ଛିଡୁନି
ଶୁଭେନା ବଜବଜ।
ପଟା ଦୋଳିରେ ଖେଳୁଛି ଖରା
ଖରା ନୁହେଁରେ ମଣିଷ ମରା,
ଖାଲି ମାଠିଆ,ବାଲିଟି,ଗରା,
ପୋଡ଼ପିଠାରେ ଆମ୍ବ ମିଠାରେ
ସୁଆଦ ନାହିଁ ଆଜ।
ଗଛ ପତର ଗଲାଣି ଜଳି
ସୂରୁଯ ତେଜ ଯାଉଛି ବଳି,
ବରଷାରାଣୀ କରୁଛୁ ଅଳି
ଡେରି ନ କରି ବାଦଲ ଚିରି
ଢାଆଳେ ଗଜଗଜ।
ଯିଏ ଯେଉଁଠି ପିଲାଏ ଅଛ
ସବୁତ ପଛ,ଲଗାଅ ଗଛ
ଖରାର ଦାଉ ହୋଇବ ଶେଷ
ହସିବ ଦେଶ ଏ ପରିବେଶ
ଅଙ୍ଗାରକାମ୍ଳ କମେଇ ଦେଇ
ନାଚିବା ଡେଇଁ ତାଥେଇ ଥେଇ
ହେବାରେ ଆମେ ସଜ,
ରଜ ଆସିଛି ରଜ।
∎
ଜାରକା, ଧର୍ମଶାଳା, ଯାଜପୁର।

ଲେଖା ସମ୍ପର୍କୀୟ ମତାମତ
ସମ୍ପାଦକ
01-06-2024 / 23:10:02
ଶ୍ରୀ କୁଞ୍ଜ ବିହାରୀ ସାହୁଙ୍କୁ - ଆପଣଙ୍କ ମନ୍ତବ୍ୟ ଗଠନମୂଳକ । ଧନ୍ୟବାଦ । କବିତାରେ ଥିବା ତ୍ରୁଟି ସାଧ୍ୟମତେ ସଜାଡିଛୁ । ଲେଖକ ସ୍ଵାଗତ କରିବେ ବୋଲି ଆଶା କରାଯାଏ ।
କୁଞ୍ଜବିହାରୀ ସାହୁ
01-06-2024 / 14:27:58
ଭଲ ଲାଗିଲା ଯେ ଅକ୍ଷର ସଜାରେ ତାଳମେଳ ସ୍ଥାନେ ସ୍ଥାନେ ଠିକ୍ ରହୁନି । ବର୍ଷେ ର ସରଳ ଶବ୍ଦ ଲେଖିଵାର ଥିଲା। ତାହା,ଟରୁଛି ଶବ୍ଦର ଅର୍ଥ ବୁଝିହେଉନି । ଆଜ ଜାଗାରେ ଆଜି ଛପାହେଇଛି