କବିତା
ଲିସା ଦିଶା ଦୁହେଁ ହସିଲେ

ଲିସା ଦିଶା ଦୁହେଁ ଅଳି କଲେ ଆସି
ଚାଲ ବାପା ଯିବା ଗାଆଁକୁ,
ସହରରେ ରହି ଜାଣି ପାରୁ ନାହୁଁ
ରଜ ଖାଲି ଶୁଣୁ ନାଆଁକୁ ।
ଆମ୍ବ ତୋଟା ନାହିଁ ରଜ ଦୋଳି କାହିଁ
ରଜକୁ ପାଳିବୁ କିପରି,
ସଜ ହେବୁ ସିନା ଏଇଠି ଟିକିଏ
ଖୁସି କି ମିଳିବ ସେପରି ।
ଗାଆଁର ଦୋଳି ତ କଟକଟ ଡାକେ
ଗୀତ ଗାଇ ଦୁହେଁ ଝୁଲିବୁ,
ସଜ ଆମେ ହୋଇ ରଜ ପାନ ଖାଇ
ଗାଆଁ ସାରା ଆମେ ବୁଲିବୁ ।
ସାଇ ପଡ଼ିଶାଙ୍କ ଘରକୁ ଯାଇକି
ମିଳିମିଶି ସବୁ ଖାଇବୁ,
ଲୁଡୁ ପୁଣି ପୁଚି ଖେଳିବୁ ସେଇଠି
କେତେ ଖୁସି ଆମେ ହୋଇବୁ ।
ଦେଖିବୁ କବାଡି ପାଇକ ଖେଳକୁ
ମେଳାରେ ବୁଲିବୁ ହରଷେ,
ବିଦ୍ୟାଳୟ ଛୁଟି ଏବେ ମନା କଲେ
ଅନାଇବ କିଏ ବରଷେ ।
ଦୁଇ ଝିଅଙ୍କର ଅଳି ଦେଖି ବାପା
ଗାଆଁ ଯିବା ପାଇଁ କହିଲେ,
ତାଙ୍କ କଥା ଶୁଣି ବଡ଼ ପାଟି କରି
ଲିସା ଦିଶା ଦୁହେଁ ହସିଲେ ।
ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ
KunjaBihari Sahu
01-06-2024 / 15:01:12
ସବୁଠୁ ଭଲ ଓ ଭଲ କବିତା,ଏଭଳି ଭାବର କବିତା ଆବଶ୍ୟକ । ଗାଁର ରଜମଉଜ ବାସ୍ତବିକ ମଉଜ ପରି ଲାଗେ । ସହରଟା ଦେଖାଣିଆ । ଶେଷ ଧାଡିରେ ଲିସା ଦିଶା ହସି ଡେଇଁଲେ ଲେଖିଥିଲେ ଆହୁରି ଭଲ ଲାଗିଥାନ୍ତା
ଧୀରେନ ମିଶ୍ର
01-06-2024 / 11:36:22
ଆଜିକାର ପିଲା ଗାଆଁମନସ୍କ ହେବା ନିହାତି ଆଶ୍ଚର୍ଯ୍ୟ ନହେଲେ ମଧ୍ଯ ସ୍ବାଗତଯୋଗ୍ୟ । କବିବନ୍ଧୁଙ୍କର ଚିନ୍ତାଧାରାକୁ ସମ୍ମାନ ଜଣାଉଛି ।
କବିଜ୍ୟୋତି ନିରଞ୍ଜନ ପତି
01-06-2024 / 10:03:30
ବହୁତ ବଢିଆ ଭାବ ବ୍ୟଞ୍ଜକ ଶିଶୁ କିଶୋର ମନଲାଖି କବିତା। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଯୁବ କବି ଙ୍କୁ,,,, ଜୟ ଜଗନ୍ନାଥ।