କବିତା
ନୁହେଁ କେ ଏକାପରି

ଗୋଟିଏ କଥା ଶୁଣରେ ପିଲେ
ଗଛଟେ ଥିଲା ପୋଖରୀ କୂଳେ
ଗଛମୂଳରେ ବେଙ୍ଗ
ଗଛ ଉପରେ ରହଇ କାଉ
ଦେଖାଇ କେତେ ରଙ୍ଗ । ।
ଗରବେ ବେଙ୍ଗ କହିଲା ଦିନେ
କହିବି କଥା ରଖିଛି ମନେ
କହିବୁ ମୋତେ କାଉ
ପାଣି ଭିତରେ ମୋ ଭଳିଆ
ବୁଡି ପାରିବୁ ତୁଉ । ।
ଫକର ଫକ ଭୂମି ଉପରେ
ଡେଇଁ ପାରିବୁ ସତରେ କିରେ
ଯାହାତ ମୁହିଁ ପାରେ
ମୁଣ୍ଡ ହଲାଇ କହିଲା କାଉ
ପାରିବି ନାହିଁ ମୁଁ, ରେ । ।
ଆହୁରି ବେଙ୍ଗ ଉଠିଲା ଫୁଲି
ମୁହଁରେ ହସ ତା ଖିଲି ଖିଲି
ଫୁଟାଇ କହେ ରହ
କଅଣ ତୁହି କରିପାରିବୁ
ମତେରେ ଟିକେ କହ । ।
ରାଗରେ ତାକୁ କହିଲା କାଉ
ବିରକ୍ତ ମୋତେ କରନା ଆଉ
ଆକାଶେ ମୁହିଁ ଉଡେ
ମାନେନା ବର୍ଷା ଶୀତ ଓ ଖରା
ରହେ ମୁଁ ଗଛ ନୀଡେ । ।
ଆସିଲେ ମାଡି ଶୀତ ଓ ଖରା
ଦେଖା ମିଳେନା ତୋହର ପରା
ଲୁଚୁ ପଥର କଡେ
ମୋର ଆଗରେ କହୁଛୁ କିଆଁ
କଥାତୁ ବେଶୀ ଭିଡେ । ।
ଶୁଣିଲା ଗଛ ଦୁହିଁଙ୍କ କଥା
କହିଲା ତାର ହଲାଇ ମଥା
କଥାଟି ମୋର ମାନ
ବିଧାତା ପରା ଗଢିଦେଇଛି
ଯାହାର ଯାହା କାମ । ।
ଦିନ କାଟୁଥା ମିଳି ଓ ମିଶି
ଚଳୁଥା କରି ହସ ଓ ଖୁସିି
କିଆଁ କରୁଛ କଳି
ବିଶାଳ ଏହି ସଂସାରେ ପରା
ନୁହେଁ କେ ଏକା ପରି । ।
ଦୁହେଁ ଯେ ଶୁଣି କଥା ଗଛର
ଭୂଲ୍ ବୁଝିଲେ ନିଜେ ନିଜର
କାଉକୁ କହେ ବେଙ୍ଗ
ମନରେ ଆମେ ଗର୍ବ ନ ରଖି
ହୋଇବା ଏବେ ସାଙ୍ଗ । ।
∎
ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ଼
ମୋ – ୭୯୯୨୫୭୩୧୨୫

ଲେଖା ସମ୍ପର୍କୀୟ ମତାମତ
Nirupama Mahapatra
05-06-2024 / 21:32:16
କବିତାଟି ଶିଶୁ ମନଛୁଆଁ ହୋଇପାରିଛି।
କୁଞ୍ଜବିହାରୀ ସାହୁ
01-06-2024 / 14:22:11
ବିରକ୍ତ, ବର୍ଷା, ଗର୍ବ ଶବ୍ଦର ସରଳକରଣୀ କରିଥିଲେ ଭଲ ହୋଇଥାନ୍ତା । ଭୂଲ ନୁହେଁ ଭୁଲ ହେବ । ଗପ ଛଳରେ ଆତ୍ମବଡିମାକୁ କୁହାଯାଇଛି । ଆହୁରି ସରଳ ତରଳ ଓ ଉପଧା ମିଳନ କରିପାରିଥିଲେ କବିତାଟି ମନଛୁଆଁ ଲାଗିଥାନ୍ତା ।