କବିତା
ଏକାଡେମୀର ସପନ ହେବ ସାକାର

ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ
ଆସୁଛି କାଳିଆ ସୁନା ।
ଓଡ଼ିଶାରେ ଶିଶୁ-କିଶୋର-ସାହିତ୍ୟ
ଏକାଡେମୀର ସର୍ଜନା ॥
ଗପ ଭଳି ଭଳି ଗୀତ ଭଳି ଭଳି
ନାଚିଲେଣି ପଢି଼ ଶିଶୁ ମାରି ତାଳି...॥
ପିଲାଏ ପଢ଼ିବେ ପିଲାଏ ଲେଖିବେ
ସୃଜନୀ ହେବ ବିକାଶ ।
ଗପ କବିତାର ଆସିବ ଜୁଆର
ଫୁଟାଇବ ମୁଖେ ହସ ॥
ବହି ଆମ ବନ୍ଧୁ ବହି ଜ୍ଞାନସିନ୍ଧୁ
ବହିକୁ କରି ଆଦର ।
ଦିଅ ପୁରସ୍କାର ଦିଅ ଉପହାର
ଘରେ ଘରେ ହେଉ ପାଠାଗାର ॥
କୁନି ଓଠେ ଆସିବ ଝଙ୍କାର,
ଆମ ଭାଷାର ହେବ ପ୍ରସାର ,
ଏକାଡେମୀର ସପନ ହେବ ସାକାର...।
ସଂଗଠିତ ହେଲେ କବି ଓ ଲେଖକ
ଫିଟିଲା ଗପ ଗଣ୍ଠିଲି ।
ତାଙ୍କ ଗପ ପଢି କୁନା ମୁନା ଝୁନା
ହସିଲେଣି ଖିଲି ଖିଲି ॥
ଛାନ୍ଦ ଚଉପଦୀ ନାଟକ କବିତା
ଗପଗୀତ କଥା ସାର ।
ବିଜ୍ଞାନ କାହାଣୀ ବୁଢ଼ୀ ଅସୁରୁଣୀ
ପଶୁ ପକ୍ଷୀର ସମ୍ଭାର ॥
ମେଳ ହୋଇଲେଣି କବିକୁଳ
ହେବ ଗୀତ-କବିତା ଆସର
ଗାଇବେ ନାଚିବେ ପରା ଶିଶୁ-କିଶୋର... ।।

ଲେଖା ସମ୍ପର୍କୀୟ ମତାମତ
ସତ୍ୟନାରାୟଣ ମିଶ୍ର
02-02-2024 / 19:50:44
ଶିଶୁ କବିତାଟି ଶିଶୁ ମନଲାଖି ହୋଇଛି
ସଂଯୁକ୍ତା ପରିଚ୍ଛା
30-01-2024 / 14:46:42
ଏକାଡେମୀ ସମ୍ପର୍କୀୟ ଲେଖା।ଭଲ ଲାଗିଲା ।
ହରିପ୍ରିୟା ପଟ୍ଟନାୟକ
29-01-2024 / 18:28:10
ବହୁତ ସୁନ୍ଦର ହେଇଛି କବିତାଟି।