କବିତା
ଆଖି ମୁଦିଲେ ଦିଶେ ସରଗ

କହ ପାହାଡ଼ କହ
ଶୁଖୂଲା ଦିଶେ ମୁହଁଟି କିଆଁ
ଟାଙ୍ଗରା ଲାଗେ ଦିହ ।
ଚାରି ପାଖେ ତୋ ବେଢ଼େଇ ହୋଇ
ବହୁ ଥୁଲା ଯେ ନଭ,
ଦେହରେ ତାର ପାଣି ଟୋପାଏ
କୋଉଠି କାଇଁ ନାଇଁ,
ଏତେ ବରଷା ପରେ,
ଶୁଖିଲା ହୋଇ ପଡ଼ିଛି ଶୋଇ
ବାଲିର ଶେଯ ଧାରେ ।
ନୀଳ ଚାଦର ଢାକିଲା ପରି
କାହିଁ ଯେ କେତେ ଗଛ
ସିଲେଇ ହୋଇ ଥିଲେଟି ରହି
ହୋଇ ଆଗକୁ ପଛ,
ଉଭେଇ ଗଲେ କାହିଁ
ଖୋଲା ମୁକୁଳା ଦିଶୁଛି ଛାତି
ପତରଟିଏ ନାହିଁ !
ଗହୀର ନାଇଁ ପନ୍ତାର ନାଇଁ
ନାହାନ୍ତି ଚାଷୀ ଭାଇ,
ବରଷା ନାଇଁ ଶୀତ ବା କାହିଁ
କାହିଁ ପଡ଼ିଶା ସଇ,
ରହ ସମୟ ରହ,
ନିରୋଳା ପାଣି ପବନ କାହିଁ
ଉଭେଇ ଗଲା କହ।
ମନରେ କେତେ ସରାଗ ଆସେ
ବସିଲେ କେବେ ଭାବି
ଆଖି ମୁଦିଲେ ଦିଶେ ସରଗ
ସବୁଜ ବନ ଛବି,
କହ ଜୀବନ କହ,
ଆଗକୁ ବଢ଼ି ଚାଲିବା, ନାଆଁ
ଅଟେକି ବିପର୍ଯ୍ୟୟ ?
∎
କଥାକାର - ୧୬୧, ଶୈଳଶ୍ରୀ ବିହାର
ଭୁବନେଶ୍ବର-୨୧
ମୋ: ୮୭୬୩୯୯୮୪୯୮

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
15-06-2025 / 15:23:41
ସୁନ୍ଦର ଯୁଗୋପଯୋଗୀ ଲେଖାଟିଏ । ଭଗବାନ କବିଙ୍କ ଆଶଙ୍କାକୁ ଦୂରୀକରଣ କରନ୍ତୁ । ପ୍ରଣାମ ।
Minati pattnayak
31-05-2025 / 08:26:51
ସମୟ ଉପଯୋଗୀ ଅତ୍ୟନ୍ତ ଉପାଦେୟ