ଗପ
ନିର୍ଲିପ୍ତାର ନିରବତା

ବିଦ୍ୟାଳୟରେ ନିୟମିତ ପଢିବା ପରେ ଘରୋଇ ଟିଉସନ୍ କୁ ଯେଉଁ କେତେଜଣ ଯାଆନ୍ତି,ସେମାନଙ୍କ ମଧ୍ଯରେ ନିର୍ଲିପ୍ତା ଥାଏ ପଞ୍ଚମ ଶ୍ରେଣୀର ଛାତ୍ରୀ। ନିର୍ଦ୍ଦିଷ୍ଟ ସମୟରେ ସିଏ ଟିଉସନ୍ ରେ ପହଞ୍ଚିଥାଏ ଓ ଘରକୁ ଫେରିଥାଏ। ଯଦି କୌଣସି କାରଣରୁ ଟିଉସନ୍ ଦିଦୀଙ୍କର ପହଞ୍ଚିବା ବିଳମ୍ବ ହୋଇଥାଏ,ପିଲାମାନେ ନିଜ ନିଜ ମଧ୍ଯରେ ଥଟ୍ଟା ମଜା କଥାବାର୍ତ୍ତା ହୁଅନ୍ତି ଆଉ କେତେବେଳେ ବି ରାଗ ରୁଷା ଝଗଡ଼ା ମଧ୍ଯ ହୋଇଥାନ୍ତି। କିନ୍ତୁ ନିର୍ଲିପ୍ତା ସେ ସବୁକୁ ଆଦୌ ପସନ୍ଦ କରେ ନାହିଁ।
ଏମିତି ପାଖାପାଖି ବର୍ଷଟିଏ ବିତିବାକୁ ବସିଲା । ଟିଉସନ୍ ଘରେ ଗଣେଶ ଓ ସରସ୍ଵତୀଙ୍କ ପୂଜା ବି କରାଯାଏ। ଅନେକ ପିଲାଙ୍କ ଜନ୍ମଦିନ ରେ ମିଠା ପିଠା ବି ଖିଆଯାଏ। ନିର୍ଲିପ୍ତାର କୌଣସିରେ ବାଦ ପ୍ରତିବାଦ କରିବା କେହି କେବେ ଦେଖି ନାହାନ୍ତି କି ଶୁଣି ନାହାନ୍ତି। ତା`ର ଏଇ ନିରବତା ବା ସହନଶୀଳତାକୁ ଅନ୍ଯ କେତେକ ସାଙ୍ଗ ପସନ୍ଦ କରନ୍ତି ନାହିଁ।
ଦିନେ ଟିଉସନ ଦିଦୀ ତାକୁ ପଚାରିଲେ,କେତେବେଳେ କେମିତି ମୋ ଅନୁପସ୍ଥିତିରେ ତମକୁ ରଗେଇବା ପାଇଁ ଅନ୍ଯମାନେ ଚେଷ୍ଟା କରୁଥିବାର ମୁଁ ଶୁଣିଛି। କିନ୍ତୁ ତମେ କାହିଁକି କୌଣସିରେ ପ୍ରତିବାଦ କରୁନାହଁ?
ନିର୍ଲିପ୍ତା କହିଲା ଦିଦୀ! ମୋ ମାଆ ପାଖରୁ ମୁଁ ଶିଖିଛି ଏ ସହିବାର ଗୁଣ। ମାଆକୁ ଆମ ପରିବାର ର ସମସ୍ତେ ଯେତେ ଯାହା କହିଲେ ବି ସିଏ ସବୁବେଳେ ନିରବତାକୁ ପସନ୍ଦ କରେ। କୌଣସିରେ କେବେ ବି ପ୍ରତିବାଦ କରେନାହିଁ କି ତୁଣ୍ଡ ଖୋଲି କିଛି ବି କରେନାହିଁ। ସେହି ସହିବାର ଗୁଣ ପାଇଁ ମାଆ କେବଳ ଆମ ପରିବାର ନୁହେଁ,ଆମ ବନ୍ଧୁ ବାନ୍ଧବ ସାହି ପଡିଶାରେ ଆଦରଣୀୟା। ସମସ୍ତେ ତା ପାଖରେ ହା`ର ମାନନ୍ତି ତା`ର ଏ ସହନଶୀଳତା ପାଇଁ।
ନିର୍ଲିପ୍ତା ଭଳି ଛୋଟ ଝିଅଟି ମୁହଁରୁ ଏ ବୁଦ୍ଧି ଅକଲର କଥା ଶୁଣି ସେ ନିଜକୁ ପ୍ରସ୍ତୁତ ହେଉଥିଲେ ବଦଳିବା ପାଇଁ।
∎
ଶଂଖୋ,ଆନନ୍ଦପୁର,କେନ୍ଦୁଝର।

ଲେଖା ସମ୍ପର୍କୀୟ ମତାମତ
କୀର୍ତ୍ତନ ସାହୁ
31-05-2025 / 12:06:54
ସୁନ୍ଦର ଶିକ୍ଷଣୀୟ ଗପ ।
ଜୟକୃଷ୍ଣ ସାହୁ
31-05-2025 / 12:02:33
ପିଲାମାନଙ୍କ ପାଇଁ ସୁନ୍ଦର ଶିକ୍ଷଣୀୟ ଗପଟିଏ ଲେଖିଛନ୍ତି। ଭଲଲାଗିଲା। ରତ୍ନାକର ସାରଙ୍କୁ ଅନେକ ଅନେକ ଧନ୍ୟବାଦ।
ଡ. ବିଜୟା ପାତ୍
31-05-2025 / 10:55:07
ସୁନ୍ଦର ହେଇଛି।