ଗପ
ଏମିତି ବି ହୁଏ

ରୁମୁ ଓ ଝୁମୁ ଦୁଇ ଭଉଣୀ। ରୁମୁ ଅଷ୍ଟମ ଶ୍ରେଣୀରେ ଓ ଝୁମୁ ଷଷ୍ଠ ଶ୍ରେଣୀରେ ପଢନ୍ତି। ଦୁଇଭଉଣୀ କେହି କାହାକୁ କମ୍ ନୁହନ୍ତି। ପାଠପଢା, ଖେଳକୁଦ ସବୁଥିରେ ଭଲ ଦୁଇଜଣଯାକ। ଘରେ ପାପା,ମାମାଙ୍କ ଠାରୁ ଜେଜେ,ଜେଜେମାଆ ସେମାନଙ୍କୁ ବେଶି ଆଦର କରନ୍ତି। ଜେଜେମା ସେମାନଙ୍କୁ ଭଲ ଭଲ ଗପ ଶୁଣାନ୍ତି। ବର୍ଷାଦିନେ ବାହାରେ ଖେଳିବାକୁ ଯାଇନପାରିଲେ ଜେଜେ,ଜେଜେମାଆଙ୍କ ସହିତ ସେମାନେ ଲୁଡୁ ଖେଳନ୍ତି। ଘରେ ସବୁବେଳେ ହସ,ଖୁସି ଲାଗିରହିଥାଏ।
କିନ୍ତୁ ବର୍ଷେ ହେଲା ସେମାନଙ୍କ ଘରେ ଆଉ ପୂର୍ବ ହସଖୁସି ନଥାଏ। ତାଙ୍କ ଜେଜେ ବର୍ଷକ ତଳେ ହୃଦଘାତରେ ଆରପାରିକୁ ଚାଲିଗଲେ। ସେଇଦିନଠାରୁ ଜେଜେମାଆ ପୂରା ଉଦାସ ଓ ଦୁଃଖୀ ହେଇଗଲେ। ତାଙ୍କର ଗପକହିବା ଓ ଲୁଡୁ ଖେଳିବା ବନ୍ଦ ହେଇଗଲା।
ରୁମୁ ମନେମନେ ଚିନ୍ତା କରୁଥିଲା କିପରି ଜେଜେମାଆଙ୍କ ମନ ପରିବର୍ତ୍ତନ କରିବ। ସେ ବର୍ଷ ରଜପର୍ବ ଆଉ ଅଳ୍ପଦିନ ଥାଏ। ଜେଜେ ଚାଲିଯାଇଥିବାରୁ ଗତବର୍ଷ ସେମାନେ ରଜପର୍ବ ପାଳିନଥିଲେ। କିନ୍ତୁ ଏଥର ରଜ ପାଳନ କରିବାପାଇଁ ଦୁଇଭଉଣୀ ମାମା, ପାପାଙ୍କୁ କହିଲେ।
ପାପା ବଜାରରୁ ରଜରେ ପୋଡପିଠା କରିବାପାଇଁ ନଡ଼ିଆ,ଗୁଡ,ଛେନା କିଣିଆଣିଲେ। ଝିଅଦୁହିଁଙ୍କ ପାଇଁ ନୂଆ ଜାମା ଆସିଲା। ବାଡିପଟ ବଉଳଗଛର ମୋଟା ଡାଳରେ ପାପା ଦଉଡିରେ ଗୋଟେ ମଜଭୁତ ଦୋଳି ଲଗେଇଦେଲେ। ରୁମୁ ଓ ଝୁମୁ ନୂଆଜାମା ପିନ୍ଧିଲେ।ମାମା ସେମାନଙ୍କ କପାଳରେ ଚନ୍ଦନଟିପା ଲଗେଇଦେଲେ। ତା`ପରେ ଦୁଇ ନାତୁଣୀ ପୋଡପିଠା ନେଇ ଜେଜେମାଆଙ୍କ ପାଖକୁ ଗଲେ।ରୁମୁ ପୋଡପିଠାରୁ ଖଣ୍ଡିଏ ଜେଜେମାଆଙ୍କ ପାଟିରେ ଦେବାରୁ ସେ ଖାଇଲେ ନାହିଁ। ରୁମୁ ଓ ଝୁମୁ ଦୁହେଁ ମିଶି ଜେଜେମାଆଙ୍କୁ ଦୁଇପଟରୁ ଧରି ଟେକିଟେକି ନେଇ ଦୋଳିରେ ବସେଇଦେଲେ। ଝୁମୁ ମାମାଙ୍କ ହାତରୁ ପିଠାନେଇ ଜେଜେମାଆଙ୍କ ପାଟିରେ ଦେଲା। ଜେଜେମାଆ ନାହିଁ ନାହିଁ କରୁଥାଆନ୍ତି। ରୁମୁ କହିଲା "ଏମିତି ବି ହୁଏ ଜେଜେମାଆ,ତୁମେ ଦୋଳିରେ ବସିବ ଆମେ ତୁମକୁ ପଛରୁ ଠେଲିବୁ ।"
ଜେଜେମାଆ ନାତୁଣୀ ଦୁହିଁଙ୍କୁ ଚାହିଁ ହସିଦେଲେ।
∎

ଲେଖା ସମ୍ପର୍କୀୟ ମତାମତ
ହିମାଂଶୁ ଶେଖର ଫତେସିଂହ
01-06-2025 / 16:14:41
ଗପଟି ବେଶ ମନଲୋଭା ହୋଇଛି।
Minati pattnayak
31-05-2025 / 19:41:06
ଶିକ୍ଷଣୀୟ
ଜୟକୃଷ୍ଣ ସାହୁ
31-05-2025 / 11:11:38
ରଜ ଉପଲକ୍ଷେ ପିଲାମାନଙ୍କ ପାଇଁ ସୁନ୍ଦର ଗପଟିଏ ଲେଖିଛନ୍ତି। ଭଲଲାଗିଲା। ଧନ୍ୟବାଦ ମାମ୍।
ଡ. ବିଜୟା ପାତ୍ର
31-05-2025 / 10:53:23
ଭଲ ଲାଗିଲା। ଛୋଟ ସିନା ଶିକ୍ଷଣିୟ ଅଧିକ।
Sanjukta parichha
31-05-2025 / 09:46:44
ଗପଟି ଶିକ୍ଷଣୀୟ ହୋଇଛି ।