କବିତା
ଭଲ ପାଇଲେ

ଶିଶୁ ମୁଖରେ ଫୁଟଇ ହସ
ଭଲ ପାଇଲେ ମାଆ ,
ଫୁଟଇ ଯେହ୍ନେ କଢ଼ରୁ ଫୁଲ
ବାସ ଫୁଟାଏ ବାଆ ।
ଛୋଟ ଗଛକୁ ଭଲ ପାଇଲେ
ହୁଏ ସେ ମହାଦ୍ରୁମ,
ଫୁଲ ଫଳରେ ଛାଇ ପରଶି
ମୋହେ ବାଟୋଇ ମନ ।
ପଶୁପକ୍ଷୀଙ୍କୁ ପାଖରେ ପାଳି
ପାଇବା ଯେବେ ଭଲ,
ଉପକାର ସେ କରନ୍ତି କେତେ
ନ ଥାଏ ତାର ମୂଲ ।
ଅସହାୟକୁ ପାଇଲେ ଭଲ
ସୁଖରେ କଟେ ଦିନ,
ସୁଫଳ ମିଳେ ସହାୟତାକୁ
ଉତ୍ଥାନ ହୁଏ ଦାନ ।
ପରିବାରରେ ଭଲ ପାଇଲେ
ସାନମାନଙ୍କୁ ବଡ଼ ,
ସଜାଇ ଚାଲେ ଚାଲିବା ବାଟ
ନ ଝୁଣ୍ଟେ କଣ୍ଟାବ।ଡ଼ ।
ବୁଢ଼ା ବୁଢ଼ୀଙ୍କୁ ପାଇଲେ ଭଲ
ମିଳଇ ଆଶୀର୍ବାଦ ,
ତାଙ୍କ ଆଶିଷ ବଢାଇ ଦିଏ
ଆଗକୁ କେଇ ପାଦ ।
ଘରକୁ ଯଦି ପାଇବା ଭଲ
ସତେ ସରଗ ପୁର,
ଭଲ ପାଇବା ଗୁଣଟି ଭଲ
ସୁଖରେ ସ୍ବପ୍ନ ତା`ର ।
ଏପରି ମନ ସଦା ପ୍ରସନ୍ନ
ପାଖରେ ଯା`ର ମିଳେ,
ଜୀବନ ତା`ର ବଦଳି ଯାଏ
ପ୍ରଭୁଙ୍କ ଦୟା ବଳେ ।
∎
ମଣ୍ଡଳ ସହ ଶିକ୍ଷା ଅଧିକାରୀ ,ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ
Mohan Kumar swain
01-08-2025 / 15:49:19
ଖୁବ୍ ସୁନ୍ଦର ଲାଗିଲା କବିତା ଟି