କବିତା
ମନେ ରଖ ଏମାନଙ୍କୁ

ଏମିତି ଅନେକ ମହାନ୍ ପୁରୁଷ
ଆମ ସମାଜରେ ଥିଲେ,
ନିଜ ନିଜ ଯଶ ଅବଦାନ ବଳେ
ଯୁଗ ବଦଳାଇ ଦେଲେ ।
ଗଣିତ ଶାସ୍ତ୍ରର ବଳିଷ୍ଠ ବ୍ୟକ୍ତିତ୍ବ
କିଏ ଥିଲେ ବୈଜ୍ଞାନିକ,
ଜ୍ୟୋତିର୍ବିଦ୍ ଭାବେ କିଏ ଗଣାଥିଲେ
କିଏ ପୁଣି ଦାର୍ଶନିକ ।
କପିଳ,କଣାଦ ଶ୍ରେଷ୍ଠ ଦାର୍ଶନିକ
ବୁଦ୍ଧିମାନ ସହ ବିଜ୍ଞ,
ଆୟୁର୍ବେଦାଚାର୍ଯ୍ୟ ସୁଶ୍ରୁତ ମହର୍ଷି
ଚିକିତ୍ସା ଶାସ୍ତ୍ର ରେ ପ୍ରାଜ୍ଞ ।
ଚରକ ମହର୍ଷି ଶ୍ରେଷ୍ଠ ଚିକିତ୍ସକ
ମୁଖ୍ୟ ଆୟୁର୍ବେଦାଚାର୍ଯ୍ୟ,
ବରାହ ମିହିର ଜ୍ଞାନୀ ଜ୍ୟୋତିର୍ବିଦ
ଅଟଳ ଅଚଳ ଧୈର୍ଯ୍ୟ ।
ଗଣିତଜ୍ଞ ଆଉ ଜ୍ୟୋତିଷ ଆଚାର୍ଯ୍ୟ
ଥିଲେ ତ ଭାସ୍କରାଚାର୍ଯ୍ୟ,
ନାଗାର୍ଜୁନ ପରା ରସାୟନବିତ୍
ପୁଣି ଆୟୁର୍ବେଦାଚାର୍ଯ୍ୟ ।
ବୈଦିକ ଯୁଗର ଋଷି ଭରଦ୍ୱାଜ
ଆର୍ଯ୍ୟଭଟ୍ଟ ଗଣିତଜ୍ଞ,
ଜଗଦୀଶ ଚନ୍ଦ୍ର ବୋଷ୍ ବୈଜ୍ଞାନିକ
ଉଦ୍ଭିଦ ବିଦ୍ୟାରେ ବିଜ୍ଞ ।
ଚନ୍ଦ୍ରଶେଖର ଭେଙ୍କଟରମଣ
ପଦାର୍ଥ ବିଜ୍ଞାନ ଗୁରୁ,
ରାମାନୁଜ ଥିଲେ ମୁଖ୍ୟ ଗଣିତଜ୍ଞ
ବୈଜ୍ଞାନିକ ମହାମେରୁ ।
ଏମାନେ ସଭିଏଁ ଆମ୍ଭ ସ୍ମରଣୀୟ
ମନେ ପକାଇବା ଆସ,
ତାଙ୍କ ଗୁଣ ଗୁଣି ଗୁରୁ ଭାବେ ମଣି
ବିତରିବା ଆମ ଯଶ ।
∎
ସମ୍ପାଦକ, ମଧୁ ମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
Dinabandhu Poi
03-09-2024 / 14:49:06
ସମସ୍ତଙ୍କ ପାଇଁ ଶିକ୍ଷଣୀୟ , ଶୁଭେଛା ଭାଇ
ପ୍ରଶାନ୍ତ କୁମାର ଦାଶ
03-09-2024 / 13:13:20
ନିରଞ୍ଜନ ପତି ଭାଇନାଙ୍କ କବିତା ବହୁତ ଚମତ୍କାର ଧନ୍ୟବାଦ ଓ ନମସ୍କାର
ମନୋରମା ମିଶ୍ର
02-09-2024 / 16:45:31
ପିଲାଙ୍କ ପାଇଁ ଶିକ୍ଷଣୀୟ ଓ ଉପାଦେୟ କବିତା...
ଧୀରେନ ମିଶ୍ର
01-09-2024 / 22:01:09
ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ଯକ୍ତି ବିଶେଷଙ୍କର ପରିଚୟ ପ୍ରଦାନ କବିଙ୍କର ଏକ ସୁନ୍ଦର ପ୍ରୟାସ। ତାଙ୍କର ଏହି ବାର୍ତ୍ତା ଶିଶୁମାନଙ୍କୁ ନିଶ୍ଚିତ ପ୍ରଭାବିତ କରିବ । କବିଙ୍କୁ ଅନେକ ପ୍ରଣାମ ।