କବିତା
ଆସିବ ପୁଣି ନୂଆ ବରଷ

ଚାହୁଁ ଚାହୁଁ ଗଲା ଏଗାର ମାସ
କ୍ଯାଲେଣ୍ଡରରୁ ସରି
ବସିଛି ଏକା ଡିସେମ୍ବର ଟା
ଶୀତରେ ଥରି ଥରି।
କମ୍ବଳ ଟିଏ ଦେଲ,
ନହେଲେ ପରା ଥଣ୍ଡାରେ ସିଏ
ହୋଇବ କଲବଲ।
ଗଛରୁ ଯେତେ ଶୁଖିଲା ପତ୍ର
ଝରି ପଡଇ ଦେଖ
ପତର ଜାଳି ସେଇ ନିଆଁ ରେ
ଦେହ ହାତକୁ ସେକ।
ବନାଅ ଟିକେ ଚାହା,
ଗରମ ଗରମ ପିଇଲେ ତାକୁ
ଆରାମ ଲାଗିବ ଆହା।
ଧାନ କ୍ଷେତରେ ପାଚିଛି ଧାନ
ଧାନ ତ ନୁହେଁ ସୁନା
ସେ ସୁନା ଦେଖି ଚଷା ଭାଇ ଟି
ହୁଅଇ ଆନମନା।
ଅମାର ଭରି ଯାଉ,
ଭୋକିଲା କେହି ନ ରହୁ ଆଉ
ମେଣ୍ଟୁ ରେ ଭୋକ ଦାଉ।
ବାଡି ବଗିଚା ନାନା ଜାତିକା
ଫୁଲ ଫଳରେ ଭରା
ପରବ ପୁଣି ଭଳି ଭଳିକା
ରହିଛି ମାସ ସାରା।
ଏ ମାସ ଗଲେ ସରି,
ଆସିବ ପୁଣି ନୂଆ ବରଷ
ମନେ ଉଲ୍ଲାସ ଭରି।
କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨

ଲେଖା ସମ୍ପର୍କୀୟ ମତାମତ
ଅନନ୍ତ କୁମାର ସେନାପତି
01-12-2025 / 18:55:01
କବିତା ଟି ଅତି ସୁନ୍ଦର ହୋଇଛି
Mohan Kumar swain
01-12-2025 / 12:23:59
ଭଲ ଲାଗିଲା କବିତା ଟି। କିଛି ନୂଆ ଧାରା ଦେଖିବାକୁ ମିଳିଛି