କବିତା
ବରଷା ସକାଳ

ଏଇତ ସକାଳ ଉଇଁଚି ସୁରୁଯ
ଫୁଟିଚି ଫୁଲ
କହିଲେଣି ଅଜା ନିଦୁଉଠି ପିଲେ
ବାହାରେ ବୁଲ ||
କାଉ କୁମ୍ଭାଟୁଆ କୁକୁଡ଼ା ବତକ
ଉଠିଲେ ରାବି
ନାହାଁନ୍ତି ଆକାଶେ ଜହ୍ନ ତାରାଫୁଲ
ଅଛନ୍ତି ରବି ||
ଖରା ଦିଶୁନାହିଁ ଆକାଶୁ ଖସୁଛି
ବରଷା ଧାରା
ବିଛେଇ ପଡୁଛି ବରଷାର ଜଳ
ଗହୀର ସାରା ||
ଜଳଦେଖି ଖୁସି ଚାଷୀଦିଏ ହସି
କରଇ ଚାଷ
କଅଁଳିଗଲାଣି ମାଟିର ଛାତିରେ
ଝାଉଁଳା ଘାସ ||
ବରଷାରେ ଭିଜି ଯାଏ ପାଠଶାଳା
ତଥାପି କୁନା
ଆଶା ସେ ସଞ୍ଚିଛି ହେବ ଭଲଚାଟ
ହେଵତ ସୁନା ||
ପୋଖରୀ ପାଟରେ ପୁରୀଉଠିଲାଣି
ଗୋଳିଆ ପାଣି
ଫକ ଫକ ଡିଏଁ ବରଷାକୁ ଦେଖି
ବେଙ୍ଗୁଲୀ ରାଣୀ ||
ଆଲୋକ ମହକ ବିତରଇ ଆସି
ସକାଳ ହସି
ଗୀତଗାଏ ପକ୍ଷୀ ସକାଳକୁ ଦେଖି
ଗଛରେ ବସି ||
ବରଷା ଋତୁର ସକାଳ ଥରାଏ
ଦେହକୁ ଆସି
ଲୁଚାଇ ରଖଇ ସୁରୁଜକୁ ମେଘ
ଆକାଶେ ଭାସି ||
ବରଷା ଛାଡିଲେ ସୁଖପରି ଖରା
ଧରାକୁ ଖସେ
ଖରାପାଇ ଗାଆଁ ସହର ନଅର
ପଲ୍ଲୀ ବି ହସେ ||
∎
କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
ଫୋନ -9668822190

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
02-08-2024 / 20:09:52
ବର୍ଷା କାଳର ବର୍ଣ୍ଣନା ସୁନ୍ଦର ହୋଇଛି। କବିତାଟି ଭଲ ଲାଗିଲା।
ଡଃ ବିଜୟା ପାତ୍ର
01-08-2024 / 10:06:50
ବହୁତ ବଢିଆ ଲାଗିଲା।