କବିତା
ପଇସା ଗଛ

ବିଟୁର ଗୋଡ଼ ତଳେ ଲାଗୁ ନଥାଏ।ସାଙ୍ଗଠାରୁ ପଇସା ଗଛ ବିଷୟରେ ଶୁଣି ମନେ ମନେ କେତେଥର ବାରଣ୍ଡାରେ ଚକ୍କର ମାରି ସାରିଲାଣି।ବଡ଼ କାମ କରିବାକୁ ହେଲେ ଛୋଟ ଛୋଟ ପ୍ରବ୍ଲେମ ଆସେ।ମନକୁ ଦୃଢ଼ କରି ୧୦ ଟଙ୍କାର ୧୦ ଟି କଏନକୁ ଘର ବଗିଚାରେ ଥିବା ଆମ୍ବ ଗଛ ପାଖରେ ଗାତ ଖୋଳି ପୋତିଦେଲା।ତାପରେ ମାଟି ଘୋଡେଇ ହାତ ଯୋଡି ପ୍ରଣାମ କରିବା ସହିତ ପାଣି ଢାଳି ଫେରି ଆସିଲା।
ନିଜ ରୁମରେ ବସି ଦିନସାରା ଯାହା ଯାହା ଭଲ କାମ କରେ ମନେ ପକାଇଲା।ଜେଜେମାକୁ ଠିକ୍ ସମୟରେ ଔଷଧ ଖୋଇବା,ସକାଳୁ ସକାଳୁ ମୋତି ( କୁକୁର ) କୁ ବାହାରେ ନେଇ ବୁଲେଇବା ,ପାରା ଓ ଅନ୍ୟ ଚଢ଼େଇଙ୍କ ପାଇଁ ଛାତରେ ଦାନା ପକେଇବା।ବାହାର ଗେଟ ନିକଟରେ ଥିବା ମାଟି ହାଣ୍ଡି,ମାଟି ଢାଳରେ ଗୋରୁ,କୁକୁରଙ୍କ ପାଇଁ ପାଣି ଭରିବା।ତା` ଉପରେ କେତେ କାମର ଦାୟତ୍ୱ।ପ୍ରତିଦିନ ଏସବୁ କାମ କରିବା ପରେ ଆମ୍ବ ଗଛ ନିକଟକୁ ଯାଇ ହାତ ଯୋଡି କହେ - ମୁଁ ମୋ ଖରାପ କାମକୁ ମଧ୍ୟ ଖୁବଶୀଘ୍ର ଦୂରେଇ ଦେବି।ହେଲେ କୁବେର ଦେବତା ! ମୋ ପଇସା ଗଛକୁ ଶୀଘ୍ର ବଡ଼ କରିଦିଅ।
ନିୟମ ପାଳନରେ ସେ ଏତେ ନିପୁଣ ଯେ ବର୍ଷା ହେଉଥିଲେ ବି ଛତା ମୁଣ୍ଡେଇ ଟଙ୍କା ପୋତିଥିବା ସ୍ଥାନକୁ ଆସି ପ୍ରଣାମ କରି ପଇସା ଗଛ ଉଠିବାକୁ ଅନୁରୋଧ କରେ।
ମାସେ ବିତିଗଲା।ପଇସା ପୋତିଥିବା ସ୍ଥାନରୁ ଆଦୌ କୁଆଁ ବାହାରୁ ନଥାଏ କି ଗଛ ହେବାର କିଛି ବି ଆଭାସ ଜଣାପଡୁ ନଥାଏ।ବିଟୁର ମନୋବଳ ଭାଙ୍ଗିଗଲା।ଭାବିଲା ସାଙ୍ଗ ତା` ସହିତ ମଜା କରିଛି।ହଠାତ୍ ଦିନେ ତା` ମମ୍ମି ପଚାରିଲା - କିରେ ବିଟୁ ତୋ ପଇସା ଗଛ ଉଠିଲା ନାହିଁ କି ?
ବିଟୁ ପଚାରିଲା - ତୋତେ ଏକଥା କିଏ କହିଲା ?
ଡେଲି ମୁଁ ରୋଷେଇ ଘରୁ ଦେଖୁଛି ତୁ ପଇସା ଗଛ ଉଠିବା ପାଇଁ ଆମ୍ବ ଗଛ ନିକଟକୁ ଯାଇ ପ୍ରାର୍ଥନା କରୁଛୁ।ତୋର ପଇସା କଣ ହେବ?
ଭାବିଛି ଘର ଆଗରେ ଗୋଟେ ବୃଦ୍ଧାଶ୍ରମ କରିବି।
କାହିଁକି?
ଜେଜେମା କେବେ କେବେ ବିଛଣାରେ ପରିଶ୍ରା କରିଦେଉଛି।ତୁ ତାକୁ ବୃଦ୍ଧାଶ୍ରମକୁ ପଠାଇ ଦେବାକୁ କହୁଛୁ।ଘର ସମ୍ମୁଖ ବୃଦ୍ଧାଶ୍ରମ ରେ ରହିଲେ ମୁଁ ଡେଲି ତା` ସହିତ ଦେଖା କରିପାରିବି।
ବିଟୁର କଥା ଶୁଣି ତା` ମମ୍ମି ଆଶ୍ଚର୍ଯ୍ୟ ହୋଇଗଲେ।ମନେ ମନେ ଭାବିଲେ - ୮ ବର୍ଷର ବିଟୁ ମୁଣ୍ଡରେ ଏମିତି ସଦବୁଦ୍ଧି କିଏ ଭରିଛି ! ନିଜ
ଭବିଷ୍ୟତ ବିଷୟରେ ଭାବିବା ମାତ୍ରେ ତାଙ୍କ ଆଖିରେ ଲୁହ ଜକେଇ ଆସିଲା।ନିଜକୁ ନିୟନ୍ତ୍ରଣ କରି କହିଲେ - ଯା - ଦୁଇଟା ସଫା ବେଡ଼ ସିଟ୍ ଜେଜେମା ରୁମକୁ ନେଇଆସିବୁ।ଏବେଠାରୁ ମୁଁ ଆଉ ତାଙ୍କୁ କିଛି କ ହିବି ନାହିଁ।
ବିଟୁ କହିଲା - ତାହେଲେ ତ ପଇସା ଗଛର କିଛି ଆବଶ୍ୟକତା ନାହିଁ
। ମମ୍ମି ସଜଳ ଆଖିରେ ବିଟୁକୁ କୋଳେଇ ନେଇ କହିଲେ - ନା `ରେ ବାପା ଆମର ପଇସା ଗଛ ଦରକାର ନାହିଁ କି ବୃଦ୍ଧାଶ୍ରମ କରିବା ଆବଶ୍ୟକ ନାହିଁ।
∎
ବିସି - ୭୪ ,ସଲଟ ଲେକ, କଲକାତା - ୬୪
ମୋ : ୯୬୮୧୩୭୩୫୧୨

ଲେଖା ସମ୍ପର୍କୀୟ ମତାମତ
ସରୋଜ କୁମାର ସାହୁ
07-08-2024 / 19:35:54
ଏମିତିକା ଗଳ୍ପ ହିଁ ସମାଜ ପାଇଁ ଆବଶ୍ୟକ ।
ଡଃ ବିଜୟା ପାତ୍ର
01-08-2024 / 10:18:19
ଆଖି ଖୋଲିଦେଲା ଭଳି ରଚନା ଟିଏ। ଖୁବ୍ ଭଲ ହେଇଛି।
Sanjukta parichha
01-08-2024 / 10:04:21
ଶିକ୍ଷଣୀୟ ବିଷୟବସ୍ତୁ ଆଧାରିତ ଗପଟିଏ ।