କବିତା
କଳାକାହ୍ନୁ ମୋ ଭକତି ଘେନ

ଦେବକୀ କୋଳେ ଜନମ ନେଇ
ରହି ଯଶୋଦା ପାଶେ
ମୋହିଲ ବିଶ୍ବ ଚଗଲାପଣେ
ବାଲ୍ୟଲୀଳାର ବେଶେ ।
ବଇଁଶୀ ଧରି ଚାଲିଲ ବନେ
ସାଙ୍ଗ ସାଥିକୁ ନେଇ
ଡେରି ହୋଇଲେ ଯଶୋଦା ପ୍ରାଣ
କାନ୍ଦଇ କଇଁ କଇଁ ।
ଚୋରି କରିଲ କ୍ଷୀର ଲବଣୀ
ଶିକାରେ ଥିଲା ଯେତେ
ଧରା ପଡିକି ମାଆ ହାତରୁ
ମାଡ ଖାଇଲ କେତେ ।
ମାଟି ଖାଇଲ ବୋଲି ଯଶୋଦା
ରାଗରେ ହେଲେ କୋପ
ଆଁ` କରିକି ଦେଖାଇ ଦେଲ
ବିଶ୍ବବ୍ରହ୍ମାଣ୍ଡ ରୂପ ।
ଛଳେ ଆସିଲା ପୁତନା ପୁଣି
ନେବାକୁ ତୁମ ପ୍ରାଣ
ବିନାଶ କରି ଦେଖାଇ ଦେଲ
ଅସୀମ ପ୍ରଭୁପଣ ।
ଗୋପବାସୀକୁ ଉଦ୍ଧାର କଲ
ଗୋବର୍ଦ୍ଧନକୁ ଟେକି
ଚକିତ ହେଲେ ସଭିଏଁ ତୁମ
ଦିବ୍ୟ ଶକତି ଦେଖି ।
କଳାକାହ୍ନୁ ମୋ ଭକତି ଘେନ
ଅବୋଧ ପିଲା ମୁହିଁ
ଆଶିଷ ତୁମ ପ୍ରାପତ ହେଉ
ସାରା ଜନମ ପାଇଁ
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
01-09-2025 / 11:32:45
ପିଲାଏ ପଢ଼ିଲା ଭଳି ସୁନ୍ଦର ଶିକ୍ଷଣୀୟ କବିତା । ଏହି ଭଳି କବିତା ପ୍ରକାଶ ପାଇଲେ ପତ୍ରିକାର ମାନ ବୃଦ୍ଧି ପାଇବ