କବିତା
ରୋଇବା ଚାରା

ଆସରେ ପିଲେ ରୋଇବା ଚାରା
ଦେଖି ପଡିଆ ଭୂଇଁ
ତାପାଇଁ ସିନା ବଞ୍ଚିଛେ ଆମେ
ମନା କରିବା ନାଇଁ ।
ଦିଅଇ ସିଏ ଆମକୁ ପିଲେ
ଫଳ ଫୁଲ ଓ ଛାଇ
ବାଟୋଇଟିଏ ତା ମୂଳେ ବସି
ଖରାରେ ମାରେ ହାଇ ।
ହରିଣ ଛେଳି ବଞ୍ଚନ୍ତି ସବୁ
ତାର ପତର ଖାଇ
ପାଚିଲେ ଫଳ କାଉ ମାଙ୍କଡ
ଖାଆନ୍ତି ଡାଳେ ଥାଇ ।
ଅମ୍ଳଜାନ ଦେଇ ସେ ନିଏ
ଅଙ୍ଗାରକାମ୍ଲ ଶୋଷି
ନଥିଲେ ଗଛ ଧରାରେ ପିଲେ
ପାରନ୍ତେ ନାହିଁ ହସି ।
କାଟି ତା ଡାଳ ଗଢି ପଲଙ୍କ
ପାରୁଛେ ଆମେ ଶୋଇ
ବାତ୍ୟା ପବନ ରୋକି ବି ପାରେ
ଧରାରେ ଛିଡା ହୋଇ ।
ବୁଢା ବେଳରେ ତା ଡାଳ ନେଇ
ଗଢି ବଙ୍କୁଲି ବାଡି
ସଳଖି ଅଣ୍ଟା ଅଜା ଚାଲଇ
ଧଳା ନିଶକୁ ମୋଡି ।
ତାଡାଳେ ବସା ବାନ୍ଧି ପକ୍ଷୀଏ
ରହନ୍ତି ଖୁସି ହୋଇ
କେତେ ଯେ ସିଏ ସାହାଯ୍ୟ ଦିଏ
ଜୀବ ଜଗତ ପାଇଁ ।
ଶତ୍ରୁ ହେଲେ ବି ମନା କରେନି
ତାପାଖକୁ ଗଲେ ଯିଏ
ତା ଉପକାର ପାଇବ ଯଦି
ଗଛ ଲଗାଉ ସିଏ l
∎
ଗୋରଡ଼ା ପାଳ , କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
କୀର୍ତ୍ତନ ସାର୍
01-09-2025 / 17:07:56
ପରିବେଶ ସଚେତନତା ଉପରେ କବିତାଟି ଭଲ ହେଇଛି ।
ନିରଞ୍ଜନ ପତି
01-09-2025 / 12:22:15
ଭଲ କବିତା । ପରିବେଶ ସଚେତନ କରାଇବା ଏହାର ଉଦ୍ଦେଶ୍ୟ । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।ଜୟ ଜଗନ୍ନାଥ ।
ମୋହନ କୁମାର ସ୍ୱାଇଁ
01-09-2025 / 11:23:35
ଅତି ସୁନ୍ଦର ଲାଗିଲା କବିତା ଟି