କବିତା
ଗଛ ପଚାରୁଛି କୁହ

ମଥା ନଇଁ କଥା ପଦେ ପଚାରୁଛି କହତ
ଅବିଚାର କରେ ଯିଏ ସିଏ କଣ ମହତ?
ସବୁଜିମା ଗୀତ ଗାଇ ଫୁଟାଏ ମୁଁ କୁସୁମ
ଖରା, ମେଘ, ଜାଡ, ମାଡ ଖାଇ ବାଣ୍ଟେ ଉଷୁମ ॥
ସବୁ ଦିନ କଲବଲ କଲ ବିଷ ଧୂଆଁରେ
ଏନ୍ତୁଡିରେ ସେକୁଥିଲି କାନ୍ଦ କୁଆଁ କୁଆଁରେ ॥
ପାଖେ ପାଖେ ରହିଅଛି ଜନମରୁ ମରଣ
ଅଭାବ ରଖିନି କିଛି ଦେଇନାହିଁ କଅଣ?
ଓଉଷଦ ଫୁଲ ଫଳ ଦେଲି ମନ ଜାଣିକି
ଭୁଲିଗଲ ଦେବା ପାଇଁ ମୂଳେ ମୁନ୍ଦେ ପାଣିକି ॥
ଛାଇ ଦେଲି ଜାଳ ଦେଲି ଟେକାଶୁଳା ସହିଛି
କଷଣ ଦେଉଛ ଯେତେ, ମୁହଁ ଖୋଲି କହିଛି ?
କତା ଧରି କୁରାଢିରେ ମତେ କିଆଁ ହାଣୁଛ
ଜାଣି ଜାଣି ତୁମ ପାଇଁ ବିପଦକୁ ଆଣୁଛ ॥
ମୁଁ ନ ଥିଲେ ହେ ମଣିଷ! ତମେ କଅଣ ରହିବ?
ବିବେକ କୁ ପଚାରିକି ମତେ ଟିକେ କହିବ ॥
ହସ ଦେଇ ବାସ ବିଞ୍ଚେ ପବନ ମୋ ଶୀତଳ
ସୁନାକୁ ଚିହ୍ନି ନପାରି କହୁଅଛ ପିତଳ ॥
ଯିଏ ଦେଲା ପର ହେଲା, ଏଇଟାକି ଧରମ
ନିଜ ଗୋଡେ କୋଡି ମାର, ଲାଗୁ ନାହିଁ ସରମ ?
ଏତେ ଦେବାନେବା, ସେବା ଅକାରଣ ଯେଉଁଠି
ଗଛ ପଚାରୁଛି କୁହ ଦୋଷ ମୋର କେଉଁଠି ?
∎
ଭବାନୀପୁର, ଧର୍ମଶାଳା , ଯାଜପୁର

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
02-04-2024 / 20:36:24
କଵିତାଟି ସୁନ୍ଦର ହୋଇଛି। କବିଙ୍କୁ ପ୍ରଶଂସା ନକରି ରହିପାରୁନାହିଁ।
ଦୀନବନ୍ଧୁ କର
02-04-2024 / 10:59:18
ମନଛୁଆଁ କବିତା