କବିତା
ଗଛ ଜୀବନ ଧନ

ଗଛ ଆମର ମିତରେ ଭାଇ
ଗଛ ଆମର ମିତ,
ତାହାରି ପାଇଁ ବରଷା ଝରେ
ହୁଏ ସବୁରି ହିତ ।
ଅଦରକାରୀ ଅଙ୍ଗାରକାମ୍ଳ
ବାୟୁମଣ୍ଡଳୁ ନିଏ,
ହସିହସିକା ଅମଳଜାନ
ସଦା ଆମକୁ ଦିଏ ।
ଅଙ୍ଗୁର, ସେଓ, ଆମ୍ବ, ପଣସ
ଦିଅଇ କେତେ ଫଳ
ପନିପରିବା ଶାଗ ପତର
ଖାଇଲେ ହୁଏ ବଳ ।
ଗଛରୁ ବହୁ ଔଷଧ ହୁଏ
ରୋଗ ହୁଅଇ ଦୂର
ଦେହ ଆମର ଭଲ ରହିଲେ
ଧରା ସରଗ ପୁର ।
ଏଇ ଜୀବନ ଗଛର ଦାନ
ନକର ତାକୁ ପର
ଖାଇବା ଦିଏ ନପାଇବା ଦିଏ
ରହିବା ପାଇଁ ଘର ।
ଦାରୁଦେବତା ଶ୍ରୀ ଜଗନ୍ନାଥ
ସବୁଠୁ ବଡ ଯିଏ
ଭକତି ବିନା ଏଇ ଜଗତେ
ବୁଝିବ ତାଙ୍କୁ କିଏ?
ଶପଥ ନେବା ଆସରେ ମୋର
କୁନି ଭଉଣୀ ଭାଇ
ଗଛ ଲଗାଇ ଯତନ ନେବା
ହେଳା କରିବା ନାହିଁ ।
ଗଛ ବଞ୍ଚିଲେ ହସିବ ଧରା
ଗଛ ଜୀବନ ଧନ,
ଗୋଟିଏ ଗଛ ସୁପୁତ୍ର ଏକ
କହନ୍ତି ସାଧୁ ଜନ ।
∎
ନିଳାଦେଈପୁର, ଧର୍ମଶାଳା, ଯାଜପୁର

ଲେଖା ସମ୍ପର୍କୀୟ ମତାମତ
ମନମୋହନ ଚୌଧୁରୀ
30-04-2024 / 14:41:16
ସୁନ୍ଦର ଉପସ୍ଥାପନା
ଦେବଦାସୀ ତ୍ରିପାଠୀ
30-04-2024 / 14:39:32
ମନଛୁଆଁ କବିତା
ମନିଷା ଶତପଥି
03-04-2024 / 06:04:25
ସୁନ୍ଦର ଉପସ୍ଥାପନା। ଧନ୍ୟବାଦ୍
ଅଶୋକ ପତି
03-04-2024 / 06:01:29
ଶିଶୁ ମନଛୁଆଁ କବିତା। ଅଭିନନ୍ଦନ
ଅଶୋକ କୁମାର ବେହେରା
03-04-2024 / 05:59:37
ଶିଶୁ ମନଲାଖି କବିତା। ଶୁଭେଚ୍ଛା ଓ ଅଭିନନ୍ଦନ