କବିତା
ଵହିର କଥା ଵହିର ଗାଥା

ଗୁଟେନବର୍ଗଙ୍କୁ ମନେ ମୁଁ ପକାଏ
ଦେଖିଦିଏ ଯେବେ ବହି
ତା ଆଗରୁ ଲେଖନୀରେ ସବୁ ଲେଖା
ପାରିବା ଏକଥା କହି ।
ତାଳପତ୍ରଟିରେ ଲେଖା ହୋଇଥିଲା
ପୋଥି ପୁରାଣଟି ଯେତେ
ଏମିତି ସତରେ ସମୟଚକ୍ରରେ
ବିତିଲା ବରଷ କେତେ।
ଆସିଗଲା ଛାପାକଳର ଯୁଗଟି
ଅକ୍ଷର ହେଲାରେ ଖଞା
ମୁଦ୍ରଣ ବେଳରେ କାଗଜ କାଳିଟି
ହେଉଥିଲା ପରା ଭୁଞା।
ଚିତ୍ରକର ଛବି ଆଙ୍କି ଦେଉଥିଲେ
ପ୍ରୁଫ୍ ରିଡର ବି ଥିଲେ
ଶୁଦ୍ଧ ବନାନ, ଠିକ୍ ଛପା ପ୍ରତି
ଧ୍ୟାନ ଥିଲା ଜାଣ ପିଲେ।
ଏବେ ସମୟର ଡିଟିପିର ଛାପା
ସହଜ ସୁନ୍ଦର ଭାରି
କେଇଘଣ୍ଟାଟିରେ ଶହ ଶହ ଶହ
ଵହି ଛାପା ଦିଏ ସାରି।
ଵହି କହେ ନାହିଁ ହେଲେ ସେ ପଢାଏ
ଜ୍ଞାନ ଦୀପ ଜାଳିଦିଏ
ନିରକ୍ଷରତାରୁ ମୁକତି ଦିଅଇ
ଏକଥି ନ ଜାଣେ କିଏ ।
ଇଏ ବହି କଥା ଇଏ ବହି ଗାଥା
ଭଲକରି ଦେବା ପଢ଼ି
ବହି ଭଲ ଵୋଲି ଏକା ସେ ପାରଇ
ଉତ୍ତମ ମଣିଷ ଗଢି।
∎
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-04-2025 / 17:46:04
ଉପାଦେୟ ଲେଖାଟିଏ। ଭଲ ଲାଗିଲା। ଧନ୍ୟବାଦ।
Sanjukta parichha
01-04-2025 / 12:59:54
ବହିଟି ମୋର ସାଥି , ରଙ୍ଗ ରଙ୍ଗିଆ ତାହାର ଛବି ନିଏ ମୋ ମନ ମୋହି । ବହୁତ ସୁନ୍ଦର ।ବହି ପରି ସାଥି କାହିଁ ।
କୀର୍ତ୍ତନ ସାହୁ
01-04-2025 / 11:39:52
ବହି ସମ୍ପର୍କରେ ଜାଣିବା କଥାର ସୁନ୍ଦର ଉପସ୍ଥାପନା ।