କବିତା
ବିଲେଇ ନାନୀ

ସକାଳୁ ପହରୁ ବିଲେଇ ନାନୀଟି
ହେଉଛି ନସର ପସର,
ଅବୁଝା ମନକୁ ରଖିପାରେ ସିଏ
ସବୁବେଳେ ନିଜ ବଶର ।
ଜେଜେମା ଗୋଡ଼ରେ ନେସି ଘଷି ହୁଏ
ଶରଧା ଟିକିଏ ପାଇଁ କି,
ଯେଉଁଠି ଥିଲେ ବି ଡାକିଦେଲେ ପୁଷି
ସଙ୍ଗେ ସଙ୍ଗେ ଆସେ ଧାଇଁ କି ।
କାହାରି କିଛି ସେ କରେ ନାହିଁ କ୍ଷତି
ବହୁ ଦିନ ହେଲା ରହୁଛି,
ମୂଷା ଦେଖିଦେଲେ କାଟିବୁନି କିଛି
ବୁଝାଇ ସୁଝାଇ କହୁଛି ।
ଦେହଟା ତାହାର ଧୋବ ଫରଫର
କଅଁଳ ଲାଗଇ ହାତକୁ,
କେବେ ଇଛା ହେଲେ ଖରା ପୁଇଁବାକୁ
ଚାଲିଯାଏ ଆମ ଛାତ କୁ ।
ମୁହଁ ଟା ତାହାର ବାଘ ପରି ସିନା
ସରଳ ପଣିଆ ଭିତରେ,
ସେ ସରଳ ପଣ ଯାହା ହୃଦେ ଅଛି
ଲଗାଇ ପାରିବ ହିତରେ ।
ପୁନେଇ ପରବ ଜନମ ଦିନରେ
ଭାରି ଖୁସି ଆମ ବିଲେଇ,
ଯାହା ଦେଇଦିଅ ହରଷ ମନରେ
ଖାଏ ସେ କଳେଇ କଳେଇ ।
ଆମେ ସିନା ଡରୁ କେବେ ତ କେଉଁଠି
କରି ନାହିଁ ଦିନେ ଅଳିଆ,
ହେଉ ପଛେ ପଶୁ ସିନେହ ରେ ବନ୍ଧା
ରହେ ପୁଅ ଝିଅ ଭଳିଆ ।
∎
ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର
ସୁନ୍ଦରଗଡ଼ । ଫୋନ ନଂ 7008304225

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
01-09-2024 / 12:21:40
ବଢିଆ ଲାଗିଲା। ଧନ୍ଯବାଦ।