କବିତା
ମାଟି ମାଆ

ଆକାଶ,ସୂରୁଯ ସବୁ ତ ଉଚ୍ଚରେ
ହାତ ମୋର ପାଏ ନାହିଁ ।
ଗୋଟିଏ ଦରବ ପାଖରେ ଅଛି ମୋ`
ମାଟି ମାଆ ପରା ସେହି ।
ସହିଥାଏ ମୋର ଅଳି ଅରଦଳି
ଜନମୁ ମରଣ ଯାଏ ।
ଯେବେ ଯା` ମାଗଇ ଉଦାର ଚିତରେ
ସବୁ ମୋତେ ଦେଇଥାଏ ।
ଜନମ କାଳରେ ପଡ଼ି ତା`ର କୋଳେ
କାନ୍ଦୁଥିଲି କୁଆଁ କୁଆଁ ।
ମାଆ ତା` କୋଳକୁ ତୋଳି ନେବା ଆଗୁ
ଧରିଥିଲା ମାଟି ମାଆ ।
ଶଇଶବ କାଳେ, ହସକାନ୍ଦ ଛଳେ
ପିଟିଛି ତା`ବୁକେ ପାଦ ।
ତୋଳି ଧରିଥିଲା କେତେ ସରାଗରେ଼
ମନେ ନବହି ସେ ଖେଦ ।
ପେଟେଇ , ଗୁରୁଣ୍ଡି , ଉଠି ପଡି କେତେ
ଶିଖିଛି ତା` ଦେହେ ଚାଲି ।
ଧାଇଁ ଯାଉଯାଉ ଝୁଣ୍ଟି ପଡୁଥିଲି
କୋଳେ ନେଉଥିଲା ତୋଳି।
କେତେ ଯେ ଦୂଷିତ କରିଛି ତାହାକୁ
ଦେଇନାହିଁ ଦୂରେ ଠେଲି ।
ସହିଷ୍ନୁତା ଗୁଣେ ଜଗତେ କେ` ଅଛି
ହେବ ମାଟି ମାଆ ସରି !
ବଞ୍ଚାଇଛି ମୋତେ ଦେଇ ଖାଦ୍ୟଜଳ
ଆଶ୍ରୟ ଦେଇ ତା କୋଳେ ।
ସରଗରୁ ବଡ଼ ମାଟି ମାଆ ପଦେ
କୋଟିଏ ପ୍ରଣତି ଢାଳେ ।
∎
ନୟାଗଡ଼
ଦୂରଭାଷ-୯୪୩୭୪୮୪୭୮୬

ଲେଖା ସମ୍ପର୍କୀୟ ମତାମତ
ମନୋରମା ମିଶ୍ର...
02-09-2024 / 17:11:57
ବାଃ.ସୁଂଦର ରଚନା...