କବିତା
ସରଗେ ଉଇଁଛି ଜହ୍ନ

ପୋଖରୀରେ ପରା ଫୁଟିଲାଣି କଇଁ
ସରଗେ ଉଇଁଛି ଜହ୍ନ,
ଜହ୍ନ ଧରିବାକୁ ଗୁଡୁଲ୍ ବାବାର
ମନ ଖାଲି ଛନଛନ ।
ତରବରେ ଯାଇ କହିଲା ମାଆକୁ
ଆଣି ଦିଏ ଜହ୍ନ ମୋତେ,
ଖେଳିବି ତା` ସାଥେ ହେବିନି ଚଗଲା
କହୁଛି ସତ ମୁଁ ତୋତେ ।
ହସିହସି ମାଆ କହିଲେ ପୁଅକୁ-
ବହୁ ଦୂର ତାଙ୍କ ଘର,
ବାଟ ତ ଜାଣିନି କେମିତି ଯିବି ମୁଁ
ଲାଗେ ମୋତେ ଭାରି ଡର ।
ଆମେ ସବୁ ତଳେ ସେ ପରା ଉପରେ
ଜହ୍ନିଫୁଲ ପରି ମୁହଁ,
ଦେଖିଦେଲେ ଥରେ ଚେହେରା ତାଙ୍କର
ବହେ ତ ଖୁସିର ସୁଅ ।
କିଏ ଡାକେ ତାଙ୍କୁ ଜହ୍ନମାମୁ ପୁଣି
କେ କହେ ଚାନ୍ଦ ବା ଇନ୍ଦୁ,
ଧୋବଧଉଳିଆ ଚିକିମିକି ଦିହ
ଜୋଝନାର ମହାସିନ୍ଧୁ ।
ଦିନ ସରିଗଲେ ସଂଜ ଆସିଗଲେ
ଆସନ୍ତି ଆକାଶେ ସିଏ,
ଅଜାଡ଼ି ଦିଅନ୍ତି ଶୀତଳ ପରଶ
(ସେ) ଉପକାରୀ ବନ୍ଧୁଟିଏ ।
ମାଆଙ୍କର କଥା ଶୁଣି ତ ଗୁଡୁଲ୍
ମନେ ଭାରି ଖୁସି ହେଲା,
ବଡ଼ହେଲେ ହେବ ଜହ୍ନପରି ସିଏ
ମାଆଙ୍କୁ ସେ କଥାଦେଲା ।
ମନ ତା`ର ହେବ ସ୍ବଚ୍ଛ ନିରିମଳ
ଜନ ହିତେ ହେବ କାମ,
ଜ୍ଞାନର ଆଲୋକ ସରାଗରେ ଢାଳି
ରଖିବ ଦେଶର ନାମ ।
ବିଭାଗ ମୁଖ୍ଯ, ରାଜନୀତି ବିଜ୍ଞାନ ବିଭାଗ
ବଡ଼ବିଲ ମହାବିଦ୍ୟାଳୟ, ବଡ଼ବିଲ
ଜିଲ୍ଲା-କେନ୍ଦୁଝର
ମୋ-୮୨୪୯୧୩୭୦୯୧

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
03-10-2025 / 13:47:15
ଭଲ ଲାଗିଲା କବିତା ଟି