କବିତା
ଆମ ଗାଈ ନା`ବଉଳି

ଡଉଲ ଡାଉଲ ଗାଈଟିଏ ଆମ
ନା `ଟି ତା`ର ବଉଳି
ଧୋବ ଫର ଫର ଛୁଆଟିଏ ତାର
ସରାଗରେ ଡାକୁ ଧଉଳି l
ଧଉଳି ବେକରେ ଟିକି ଘୁଙ୍ଗୁର
ରୁଣୁ ଝୁଣୁ ହୋଇ ବାଜଇ
ଅଗଣାରୁ ଖଳା ଡେଇଁବୁଲୁଥାଏ
ନାଲି ଫିତା ତାକୁ ସାଜଇ l
ସଫା ସୁତରା ତା`ଗୁହାଳ ଘରଟି
ହେଉ ପଛେ ନଡା ଛପର,
ଗୋବର ଲଣ୍ଡାଟେ ପଡିରହେ ନାହିଁ
ମା`ମୋର ଜାଗ ତିଆର l
ଏଡ଼େ ସୁଧାରିଆ ବଉଳି ଆମର
ବେକ ଟିକେ ଦେଲେ ଆଉଁସି,
କାନ୍ଧରେ ତମର ବେକନଦି ଦେଇ
ଜଣାଇବ ତା`ର ସାବାସୀ l
ପେଜ,ତୋରାଣିରେ କୁଣ୍ଡା ଗୋଳି ଦେଇ
ମାଡିଆରେ ଦେଲେ ମାଡିଏ
ଆଖି ପିଛୁଳାକେ ଖାଲିକରିଦେବ
ହାକୁଟି ମାରିବ ଘଡିଏ l
ସବୁଜ ଘାସକୁ ଭାରି ଭଲ ପାଏ
ହାଉଁ ହାଉଁ କରି ଖାଇବ
ମୁଗ, ବିରି ବୋତି,କୁଟା ଓ କୁରୁଚି
ଖାଇବାକୁ ଭଲ ପାଇବ l
ଗୋବର ତାହାର ଭାରି ଉପକାରୀ
ସବୁଚାଷ ବାସ ପାଇଁକି
ଗୋ ମୂତ୍ର ତ ଏବେ ଔଷଧ ହେଲାଣି
ଦେଶ ବିଦେଶରେ ଯାଇକି l
କ୍ଷୀର ଗୁଣ ତାର କିଏସେ ନଜାଣେ
ସାନ ବଡ଼ଙ୍କର ଆହାର,
ପୂଜା ପାର୍ବଣ ରୁ ରୋଗୀ ପଥିଯାଏ
ସବୁଠାରେ ଲୋଡ଼ା ତାହାର l
ମା` ଠାରୁ ବଳି ମା`ଟିଏ ବୋଲି
ମା` କହୁଥିhଲା ସତରେ
ତେଣୁକରି ତାକୁ ଗୋମାତା ବୋଲିଣ
ପୂଜନ୍ତି ଜଗତ ଭିତରେ l
∎
ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ
କେନ୍ଦୁଝର ଗଡ଼, କେନ୍ଦୁଝର, ୭୫୮୦୦୧
ଫୋନ-9348516001

ଲେଖା ସମ୍ପର୍କୀୟ ମତାମତ
କୀର୍ତ୍ତନ ସାହୁ
01-12-2025 / 10:55:28
ଖୁବ୍ ସୁନ୍ଦର ହେଇଛି ।