କବିତା
ଅତି ଆପଣାର କପିଳା ଅଜା

ଛୁଆଠାରୁ ବଡ଼ ସଭିଙ୍କ ନିଜର
ଅତି ଆପଣାର କପିଳା ଅଜା,
କଥାଟି ତାଙ୍କର ଭାରି ସୁଆଦିଆ
ଶୁଣିଲେ ଥରେଟି ଲାଗଇ ମଜା ।
ପାକୁଆ ପାଟିରେ ପାନ ଖିଲେ ଖାଇ
ଗାଆଁ ଦାଣ୍ଡେ ଧରି ବଙ୍କୁଲି ବାଡ଼ି,
ନଇଁ ନଇଁ ଧୀରେ ଚାଲୁଥାନ୍ତି ବାଟ
ହସିହସି ଦୁଇଗୋଡ଼କୁ କାଢ଼ି ।
ପୁନେଇ ପରବ ମେଳା ମଉଛବ
ହସୁଥାଏ ତାଙ୍କ ପାଇଁଟି ସିନା,
ସବୁଥିରେ ଅଜା ରହିଥାନ୍ତି ଆଗେ
କିଛି ବି ହୁଏନି ତାଙ୍କରି ବିନା ।
ମେଳ କରି ସବୁ ପିଲାଙ୍କୁ ବୁଝାନ୍ତି
ଗାଆଁ ପରିମଳ କରିବା ପାଇଁ ,
ପରିବେଶ ହେଲେ ସଫାସୁତୁରା ଟି
ରୋଗ ବଇରାଗ ମାଡ଼ିବ ନାହିଁ ।
ବଖାଣନ୍ତି ତାଙ୍କ ପିଲାବେଳ କଥା
ଦୁନିଆ କେମିତି ସରଳ ଥିଲା,
ସିନିହ ଶରଧା କିଣୁଥିଲା ମନ
ଏବେ ପରା ସବୁ ହେଲାଣି ଢିଲା ।
ଗୁରୁଗୁରୁଜନେ ଭରିରହିଥିଲା
ମାନ ସନମାନ ଭକତି ଭାବ,
ପର ଉପକାରେ ପୂରିଥିଲା ଖୁସି
ହିଂସା କପଟର ନଥିଲା ଠାବ।
ଡାକତରଖାନା ନଥିଲା ପାଖରେ
ଯେବେବା ଦେହଟି ଖରାପ କା`ର,
ବଇଦ ବାପୁଡ଼ା ଚେରମୂଳି ଦେଇ
କରୁଥିଲେ ଉପଚାରଟି ତା`ର ।
ବଦଳୁଛି ଯୁଗ ଯେତିକି ଆଗକୁ
ସେତିକି ତଳକୁ ଖସୁଛି ଆମେ,
କୁଆଡ଼େ ଗଲାଣି ଶାନ୍ତି ସଦଭାବ
ମନଟି ସଦା ତ ଖରାପ କାମେ ।
କିଏ କାହା ଆଉ କଥାରେ ନାହାନ୍ତି
କପିଳା ଅଜାଙ୍କ ମନରେ ଦୁଃଖ ,
କିଏ ନେଇଗଲା ସେ ସୁନାର ଦିନ
କାହିଁ ହଜିଲା ସେ ସରଗ ସୁଖ।
ସଭିଙ୍କୁ ଆଦରେ କହନ୍ତି ସରାଗେ
``ନାତିନାତୁଣୀଏ ଶୁଣରେ ଶୁଣ,
ମିଳିମିଶି ତମେ ରହିବ ଏକାଠି
ଦୂରେଇ ଦେଇକି ଯେତକ ଖୁଣ ।" ----------------------------
∎
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ, ବଡବିଲ
ଜିଲ୍ଲା-କେନ୍ଦୁଝର
ମୋ-୮୨୪୯୧୩୭୦୯୧

ଲେଖା ସମ୍ପର୍କୀୟ ମତାମତ