କବିତା
ଶିମିଳିପାଳରେ ନୂଆବରଷ

ବରେହିପାଣି ଜଳ ପ୍ରପାତ
ଅଛି ଶିମିଳିପାଳେ
ପଶୁ ପକ୍ଷୀଏ ମିଶିକି ଦିନେ
ସେଇଠି ସଭା କଲେ।
ନୂଆ ବରଷ ପାଳିବା ପାଇଁ
ପ୍ରସ୍ତାବ ଦେଲା ହାତୀ
ବାଘରାଜା ବି ଜଣେଇଦେଲା
ଆପଣା ସନମତି।
କହିଲା ତହୁଁ "ଉତ୍ସବ କର
ତହିଁକି ନାହିଁ ମନା
ପରମ୍ପରା କୁ ପାସୋରି ଦେଇ
ହେବାନି ବାଟବଣା।
ମଣିଷ ସିନା ମନ ଖୁସିରେ
ଫୁଟାଉ ଅଛି ବାଣ
ପରିବେଶ ର ହେଉ ନାହିଁ କି
ତହିଁରେ ପ୍ରଦୂଷଣ?
କେଉଁଠାରେ ବି ଏଇଥି ପାଇଁ
ହେଉଛି କେକ୍ କଟା
ଏଇ ଦିନ ଟି ପାଳିବା ଆମେ
ତିଆରି କରି ପିଠା।
ରାତି ଅଧରେ ବିଲୁଆ ଯେବେ
ଡାକିବ ହୁକେ ହୁଆ
ତାଳି ମାରିକି ଗାଇବା ଆମେ
ନୂଆ ବରଷ ତୁ ଆ।"
ବାଘ ରାଜା ର କଥା କୁ ମାନି
ନୂଆ ବରଷ ପାଳି
ପଶୁ ପକ୍ଷୀଙ୍କ ମନରେ ଗଲା
ଖୁସି ର ଢେଉ ଖେଳି।
ଭାଲୁ ମନ୍ତିରି କହିଲା ତହୁଁ
ଖୁସିରେ ହୋଇ ଭୋଳ
"ଏହି ପରିକା ନୂଆ ବରଷ
ପାଳିବା ସବୁଥର"।
∎
ମଣ୍ଡୁଆ,କେନ୍ଦୁଝର ଗଡ
ମୋ ୯୪୩୭୭୫୨୩୯୫

ଲେଖା ସମ୍ପର୍କୀୟ ମତାମତ
Dhananjaya swain
07-01-2026 / 00:09:15
ଭଲ ଲାଗିଲା କିନ୍ତୁ ବିଲୁଆର ଡାକ ହୁଆ ନ କରି ହୋ କରିଥିଲେ ଆହୁରି ଭଲ ହୋଇଥାନ୍ତା
ହରିପ୍ରିୟା ପଟ୍ଟନାୟକ
03-01-2026 / 10:17:42
ବଢିଆ ଆରମ୍ଭ।କିନ୍ତୁ ଖାଇବା କଥା ଥିଲେ ଅଧିକ ଭଲ ଲାଗିଥାଆନ୍ତା
Tulasi Swain
02-01-2026 / 10:32:32
କବିତାର ପରିସମାପ୍ତିରେ କିଛି ଅସୁବିଧା ରହିଛି।କବି କଳ୍ପନାରେ କବିତା ଶିଶୁ ମନଲାଖି।
Mohan Kumar swain
01-01-2026 / 20:06:43
ସୁନ୍ଦର ଆରମ୍ଭ ଶେଷ ନଥିଲା ଭଳି ଲାଗିଲା