କବିତା
ମୋ ଗାଁ

ମୋ ଗାଁ ରେ ବଢି ଅଛି ଅଛିତ ମରୁଡି
ବିଜୁଳି ର ଚମକ କୁ ଘଡଘଡି ରଡି
ଗାଁ ମୋ ତା ପଣତରେ ଦିଏ ଝାଡିଝୁଡି
ମୋ ଆଖିରୁ ଲୁହ ଯେବେ ପଡଇ ନିଗିଡି ।
କିଆ ଫୁଲ ବାସ କେବେ ନାଲି କଇଁ ହସ
କମକୁଟା କାସତଣ୍ଡୀ ସେଫାଳି ପରଶ
ଫଗୁଣ ପୂହ୍ନେଇ ରାତି ଭୋଦୁଅର ଜହ୍ନ
ସବୁଜ କେଦାରେ ଭରା ଅସରା ସପନ
ମନ ଊଣାକଲେ ଦିଏ ସିନେହ ଅଜାଡି ।
ବାଦ ବିବାଦ ବି ଅଛି ଅଛି ବି ବିଶାଦ
କାନ୍ଧରେ ମିଶାଉ କାନ୍ଧ ପଡିଲେ ପ୍ରମାଦ
ଭାଇ ବି ଭଗାରୀ ହୁଏ ଭଗାରୀ ବି ଭାଇ
ସତେକି ଉଜାଣି ବହେ ଭାବନାବ ନଈ
ଭଙ୍ଗାମନ ମମତା ରେ ହୋଇଯାଏ ଯୋଡି ।
ପାର୍ବଣ ରେ ଦୁଲୁକଇ ମୋ ଗାଁ ର ଛାତି
କେତେ ମିଠା କେତେ ପିଠା ସ୍ନେହ ବଣ୍ଟାବଣ୍ଟି
ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ
ମିଳନର ଆଶାବରୀ କରଇ କିମିଆ
ବୈକୁଣ୍ଠର ବାସ୍ନା ସତେ ପଡଇ ନିଗିଡି ।
ପୂଜାପାଠ ପାଦୁକରେ ଗଭୀର ବିଶ୍ୱାସ
ଠାକୁରାଣୀ ଧଣ୍ଡା ପାଣି ମହିମା ଅଶେଷ
ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା
ସଞ୍ଜ ଆଳତୀରେ ଶୁଭେ ଶାନ୍ତି ର ବାରତା
ଦୁନିଆ କୁ ଯୋଡିଦିଏ ସିନେହ ଦଉଡି ।
∎
ମୋ:-7077206977

ଲେଖା ସମ୍ପର୍କୀୟ ମତାମତ
କୁମାର ସୁଧୀରଜୀ
14-04-2025 / 12:38:52
ଭାଇ। ନମସ୍ତେ। ଲେଖାଟି ଭଲ। ଆଗରୁ ସମସ୍ତେ ଗାଁ ଉପରେ କବିତା ପଢିଛନ୍ତି ଏଣୁ ନୂଆ ନ ହେଲେ ବି ଏକ ନୂଆପଣ ଆଶା କରନ୍ତି। ଆପଣ ବଢିଆ ଲେଖିଛନ୍ତି। ଗୋଟେ ନିବେଦନ! ପାଖରେ ଥିବା କୌଣସି ଭଲ ଶିଶୁ ସାହିତ୍ୟିକଙ୍କୁ ଆଗ ଲେଖାଟି ଦେଖାନ୍ତୁ ଓ ଟିକେ ସଂଶୋଧନ କରାଇ ତାପରେ ପଠାନ୍ତୁ କିଛି ଶବ୍ଦ ବନାନ ମାତ୍ରା ଅଶୁଦ୍ଧି ରହି ଯାଉଛି। ନିଜେ ବି ତରତର ନ ହେଇ ଯଦି ସଂଶୋଧନ କରିବେ ଦି ଚାରିଥର ପଢି ତେବେ ଆହୁରି ଭଲ ହେବ। ବହୁତ ଲେଖନ୍ତୁ। ଧନ୍ୟବାଦ। ସୁଧୀର ଭାଇ