Skip to content
ଶିଶୁ କିଶୋର

କବିତା

ମୋ ଜୀବନ ପ୍ରିୟ ଧନ

ମୋ ଜୀବନ ପ୍ରିୟ ଧନ

କେମିତି ରେ ଫୁଲ କେବେ ବି ତୋ ମନେ
ନଥାଏ ଟିକିଏ ଦୁଃଖ
କି ଖରା ବରଷା ଶୀତ କାକରରେ
ସଦା ହସ ତୋର ମୁଖ।

ଥିରି ପବନରେ ଦୋହଲି ଦୋହଲି
ଢାଳି ଦେଉ ତୁ ତୋ ବାସ
ଚହଟାଇ ଦେଉ ଏ ସାରା ବଗିଚା
ମୋର ପଢାଘର ପାଶ।

ଝରକା ଫାଙ୍କରେ ପାଠ ପଢୁ ପଢୁ
ତୋତେ ଦେଲେ ଟିକେ ଚାହିଁ
ମୋ ଟିକି ମନଟି କହୁଥାଏ ଖାଲି
ଯାଆନ୍ତି ତୋ ପାଖେ ଧାଇଁ।

ହେଲେ ବାପା ବୋଉ ଆକଟ କୁ ମାନି
ଯାଇ ପାରେନି ତୋ ପାଖେ
କାହିଁକି କେଜାଣି ତୋ ସୁନ୍ଦର ଗୁଣ
ମୋତେ ତୋ ପାଖକୁ ଡାକେ।

ପାଠ ପଢୁପଢୁ ତୋ କଥା ମୁଁ କେତେ
ନିତି ଭାବି ଯାଏ ଭୂଲି
କହି ଦେ ତୁ ଥରେ ତୋ ଖୁସି କଥାଟି
ପବନରେ ଟିକେ ଝୁଲି।

ହସି ହସି ମୋତେ କହିଲା ସେ ଧିରେ
ଶୁଣ ଆହେ ସାନ ବାବୁ
ମୋ କଥାକୁ ନେଇ ଏତେ କଥା ତୁମେ
ମିଛେ କାହିଁ ପାଇଁ ଭାବୁ?

ପର ଉପକାର କରିବାକୁ ପରା
କହିଛନ୍ତି ମୋତେ ବିଭୁ
ସବୁରି ମଙ୍ଗଳ କରିବାକୁ ତୁ
ନିତି ନିତି ଫୁଟୁଥିବୁ।

ତାଙ୍କ କଥା ମାନି ସବୁବେଳେ ସିନା
ବିତରେ ମୁଁ ନିତି ବାସ
ଉପକାର ଛଡା ଜୀବନରେ ମୋର
ନାହିଁ ଆଉ କିଛି ଆଶ।

ତୁମେ ବି ମୋ ପରି ଏଇ ଜୀବନରେ
ନିତି ଆନ ସେବା କର
ସାରା ଜଗତକୁ ତୁମରି ସେବାରେ
କରିଦିଅ ଗୋଟେ ଘର।

ହଁ ଟିଏ ମାରି ମୋ ପଢା ବହିରେ
ଥୋଇଲି ପୁଣି ମୋ ମନ
ହେଲେ ମୁଁ ଖୁସିରେ କହିଲି, ତୁ ଫୁଲ!
ମୋ ଜୀବନ ପ୍ରିୟ ଧନ।

∎
ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ , ରୋହିଗାଁ, ପୋଷ୍ଟ -ନଳିହାଡ ଭାୟା -ବାଲିପଡା
ପିନ୍ କୋଡ -୭୬୧୦୫୪ (ଗଞ୍ଜାମ) , ମୋ-୮୨୪୯୧୧୯୧୩୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Manjulata Behera

03-04-2024 / 16:15:07

ଭଲ ଲାଗିଲା

ଜୟକୃଷ୍ଣ ସାହୁ

02-04-2024 / 20:27:46

ଫୁଲ ସହିତ କବିଙ୍କର କଥୋପକଥନ ଭଲ ଲାଗିଲା।

Kunja Bihari Sahu

02-04-2024 / 12:38:23

the poet has expressed his personal feeling . heart touching really

Kunja Bihari Sahu

02-04-2024 / 12:38:23

the poet has expressed his personal feeling . heart touching really

ଦୀନବନ୍ଧୁ କର

02-04-2024 / 11:01:23

ମନଛୁଆଁ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion