କବିତା
ପ୍ରକୃତି ଦେଇଛି

ପ୍ରକୃତି ଦେଇଛି ସକାଳ ସୂରୁଜ
ନରମ କିରଣ ଜ୍ୟୋତି
ସେଇ କିରଣରେ ଭିଜି ଗଲେ ଥରେ
ମିଳଇ ସତେକି ମୋତି ।
ଶାନ୍ତ ପରିବେଶ ଯୋଗାଇ ଦେଉଛି
କାମ କରିବାର ମନ
ଭଲ ମନ ନେଇ କାମ କରିଗଲେ
ମିଳଇ ଅସଲ ଧନ ।
ପ୍ରକୃତି ଦେଇଛି ଟିକି ଝରଣାଟି
ବହେ କୁଳୁ କୁଳୁ ନାଦେ
ସବୁଜିମା ଭରା ଗଛ ଲତା ମଧ୍ୟେ
ପାହାଡ଼ର ପାଦେ ପାଦେ ।
ପରିବେଶ ତାର ଦେଖି ଦେଲେ ଥରେ
ମନ ଆମ ମୋହି ନେବ
ପ୍ରକୃତି କୋଳରେ ମନୋରମ ଦୃଶ୍ୟ
କେତେ ଯେ ଆନନ୍ଦ ଦେବ ।
ପ୍ରକୃତି ଦେଇଛି ପୂର୍ଣ୍ଣମୀ ଜହ୍ନକୁ
ବୁଣିବାକୁ ଜ୍ୟୋତ୍ସ୍ନା ରାଶି
ତାହାରି ଭିତରେ ଖେଳି ବୁଲିବାକୁ
ରାଗ ରୋଷ ମନୁ ନାଶି ।
ସବୁରି ଭିତରେ ଗଛ ସେ ଦେଇଛି
ବଞ୍ଚିବାକୁ ଆମେ ପରା
ଗଛର ଯତନ ନେବା ଯଦି ଆମେ
ହସି ଉଠିବ ଏ ଧରା ।
କେତେ କେତେ ଚିଜ ପ୍ରକୃତି ଦେଇଛି
ସବୁ ଆମ ଭଲ ପାଇଁ
ସେସବୁ ସୁରକ୍ଷା ଆମର ଦାୟିତ୍ବ
ହସି ହସାଇବା ଯାଇ ।
∎
ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂରଭାଷ – ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ