କବିତା
ସାତ ରଙ୍ଗର ଝୋଟି

ଏତେ ସୁନ୍ଦର ଧରାରେ ଛବି
କିଏସେ ଦେଲା ସକାଳୁ ଆଙ୍କି
ଅନ୍ଧାର ଥିଲା ଘୋଟି,
ସାରା ମୂଲକେ ପକାଇ ଦେଲା
ସାତ ରଙ୍ଗର ଝୋଟି ।
ଜାତି ଜାତିକା ଫୁଟିଛି ଫୁଲ
ସତେକି ସିଏ ଅମୂଲ ମୂଲ
ଅଟକି ଯାଏ ଆଖି,
କିଏସେ ସିଏ ଫୁଲର ଦେହେ
ରଙ୍ଗ ଦେଇଛି ମାଖି ।
ଉଡ଼ି ଉଡ଼ିକା ପରଜା ପତି
କୋଉଠି ଥାଏ ଆସଇ କତି
ଫୁଲ ଦେହରେ ବସି,
କି କଥା ତାକୁ କାନରେ କୁହେ
ଫୁଲଟି ଦିଏ ହସି ।
ପୂରୁବ ଦିଗେ ନାଲି ସୂରୁଯ
ପତର ଫାଙ୍କେ ବୁଣେ ମୁରୁଜ
ବିଛେଇ ପଡେ ଖରା,
ସେହି ଖରାକୁ ଦେହେ ମାଖଇ
ମାଟିର ଏଇ ଧରା ।
ଯେତେ ଖୋଜଇ ଅଗଣା,ବିଲ
ସାଗର,ନଈ,ପାହାଡ ଖୋଲ
କେଉଁ ଦେଶ ତା` ଘର,
ଦେଖନ୍ତି ତାକୁ ଥରିଏ ହେଲେ
ଠିକଣା ଥିଲେ ତା`ର ।
ମହାନଦୀ ବିହାର, କଟକ -୪
ମୋ - ୯୪୩୭୫୯୬୭୫୧

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
03-10-2025 / 13:55:15
ଅତି ସୁନ୍ଦର ହେଇଛି କବିତାଟି
ଦୀନବନ୍ଧୁ କର ।
01-10-2025 / 15:07:36
ମନଛୁଆଁ କବିତା।