କବିତା
ଧୀର ପାଣି ପଥର କାଟେ

ଛନଛନିଆ ଘାସ ଉପରେ
କନକନ ସେ ହୋଇ
ଡେଇଁଡେଇଁକି ଠେକୁଆ ଚାଲେ
ପାଦକୁ ଥୋଇ ଥୋଇ।
ତା`କାନ ହୁଏ ହଲ୍ ହଲ୍
ଦେଖିଛ ଯଦି କୁହ
କେତେ ବୁଦ୍ଧିଆ ସେଇ ଠେକୁଆ
ତାଠୁଁ ଶୁଣିବ ରୁହ ।
ଭାବି ଭାବିକା କହିଲା ସିଏ
ଧୀର କଇଁଛ ଚାଲି
ତା`ସାଙ୍ଗେ ହେଲା ଦଉଡ଼ ଗୋଟେ
ଲାଗେ ଯେମିତି କାଲି ।
ଦଉଡ଼ ମାରି ସେ ଆଗ ଗଲା
ବିଶ୍ରାମ ଟିକେ ନେଲା
ପ୍ରଥମ ହେବ ନିଶ୍ଚୟ ସିଏ
ମନରେ ଭାବି ନେଲା।
ଗଲା ନିଘୋଢ଼ ନିଦରେ ଶୋଇ
ଦଉଡ଼ କଥା ଭୁଲି
ଉଠି ଦେଖିଲା କଇଁଛ ନାହିଁ
ପଛକୁ ଯେବେ ବୁଲି ।
ଥିଇରି ଥିରି କଇଁଛ ଯାଇ
ଗଲା ଯେ ଟପି ବାଟ
ଲକ୍ଷ୍ୟ ସ୍ଥଳକୁ ଆଗ ଛୁଇଁଲା
ଶିଖେଇ ଦେଲା ପାଠ।
ଧୀର ପାଣି ପଥର କାଟେ
ଶିଖିବା ଆସ ଆମେ
ଠେକୁଆ ଗପ ସେଇଠି ସାରି
ଚାଲିଲା ନିଜ କାମେ ।
∎
ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ