କବିତା
ପାରବଣ ଋତୁ

ପାରବଣ ଋତୁ ପାଖେଇ ଆସୁଛି
ଆସିବେ ଦୁରୁଗା ମାଆ
ଗାଆଁ ସହରରେ ଜାକଜମକରେ
ପୂଜା ପାଇବେଟି ମାଆ I
ସଜେଇ ହେଲାଣି ପୂଜାମଣ୍ଡପରେ
ଦୁରୁଗା ମାଆଙ୍କ ମେଢ଼
ପାର୍ଶ୍ୱ ଦେବାଦେବୀ ମଣ୍ଡପେ ବିରାଜି
ଜମାଣିଆ ସେଇ ମେଢ଼ I
ମୃଣ୍ମୟୀ ମୂରତି ଚାଲିଛି ପ୍ରସ୍ତୁତି
(ପୂଜା)ମଣ୍ଡପର ଉହାଡ଼ରେ
ମହୀଷ ମର୍ଦ୍ଦିନୀ ତ୍ରିଶୁଳ ଧାରିଣୀ
ପୂଜା ପାଇବେ ଦଶରାରେ I
ଅଶିଣ ମାସରେ ଶୁକୁଳ ପକ୍ଷରେ
ବିଜୟା ଦଶମୀ ଦିନ
ଢୋଲବାଇଦରେଭେରୀତୂରୀନାଦେ
କମ୍ପିବ ମେଦିନୀ ପୁଣ I
ସିଂହବାହିନୀ ମା` ମର୍ତ୍ତ୍ୟକୁ ଆସନ୍ତି
ଧରାବତରଣ କରି
ଦୁଷ୍ଟକୁ ସଂହାରି ସାଧୁ ସନ୍ଥ ପାଳି
ଶୁଣିଥାନ୍ତି ମା` ଗୁହାରି I
ମାଆଆସିବେ ବୋଲି ପଡୁଅଛି ହୁରି
ଗାଆଁ ସହର ସବୁଠି
ବରଷକୁ ଥରେ ମାଆ ଆସିଥାନ୍ତି
ବିରାଜି ଏଇଠି ସେଠି I
ମାଆଙ୍କ ଆଗମନ ପାଇଁ ବାଢ଼ିଥାଏ
ଶରତ ମରତେ ଶୋଭା
ଅଳିଆ ଅସନା ଯେତେ ଆବର୍ଜନା
ନଥାଇକି ଜମେ ଆଭା I
ବରଷାର ଭୟ ଶରତେ ନଥାଏ
କାଶ ହସେ ଶରତରେ
ଚାମର ପରାୟେ କାଶ ହଲୁଥାଏ
ବାଟଘାଟ ସବୁଠାରେ I
ମାଆଙ୍କ ସ୍ୱାଗତ ପାଇଁ କରି ବ୍ରତ
କାଶ ଥାଏ ବାଟେଘାଟେ
ଅନେଇରହେ ସେ ମା` ଆସିବା ବାଟ
ଧବଳ ପାଟର ଥାଟେ I
ଆନନ୍ଦ ଉଲ୍ଲାସ ଆଲୋକର ପର୍ବ
ପାରବଣ ଦଶହରା
ମେଲାଣି ନିଅନ୍ତି ଦର୍ଶନ ଦେଇକି
ହରଷେ ସାରି ଯାତରା I
ବଉଦରାଜ -762014, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ