Skip to content
ଶିଶୁ କିଶୋର

ଜ୍ଞାନବିଜ୍ଞାନ

ଅସ୍ୟୁତ ରୋବୋଟ

ଅସ୍ୟୁତ  ରୋବୋଟ

ଠିକ ଏକ ଜୀବନ୍ତ ପ୍ରାଣୀ ପରି ଚଲାବୁଲା କରି ବିଭିନ୍ନ ଜଟିଳ କାର୍ଯ୍ୟ ସମ୍ପାଦନ କରୁଥିବା ମେସିନକୁ ରୋବୋଟ କୁହାଯାଏ। ରୋବୋଟ୍‌ଗୁଡ଼ିକ ବିଭିନ୍ନ ପ୍ରକାରର ଅସାଧାରଣ କାର୍ଯ୍ୟ କରି ପାରୁଛନ୍ତି। ସାଧାରଣତଃ ଯେଉଁ କାମ ମଣିଷ କରିପାରେ ନାହିଁ ତାହା ରୋବୋଟ୍ ଦ୍ୱାରା କରାଯାଏ। କଳକାରଖାନାରେ ବିଭିନ୍ନ ପ୍ରକାରର ବି ଦଜ୍ଜନକ କାମ ରୋବୋଟ୍ ଦ୍ୱାରା କରାଯାଉଛି। ପରମାଣୁ ଶକ୍ତି ଚାଳିତ କାରଖାନା, ବିସ୍ଫୋରକ ଓ ବିଷାକ୍ତ ପଦାର୍ଥ ତିଆରି ହେଉଥିବା କାରଖାନାରେ ଅଧିକାଂଶ କାମ ରୋବୋଟ୍ ଦ୍ୱାରା କରାଯାଉଛି । ଅତଳ ସମୁଦ୍ରରେ ବୁଡ଼ି ଯାଇଥିବା ଜାହାଜକୁ ଠାବ କରିବା, ସେଥିରେ ମରାମତି କରିବା ପାଇଁ ରୋବୋଟ ବ୍ୟବହୃତ ହୋଇଥାଏ। ମହାକାଶରେ ମହାକାଶ ଯାନ ମରାମତି କରିବାରେ ରୋବୋଟ ଲାଗିଥାଏ। ଏହା ମଧ୍ୟ ରୋଗ ଚିହ୍ନି ରୋଗୀର ଚିକିତ୍ସା କରୁଛି । ଏକ ରୋବୋଟ୍ ଅବିରାମ ଭାବରେ ବହୁ କାର୍ଯ୍ୟ କରିଥାଏ ସେଥିପାଇଁ ବିଭିନ୍ନ କ୍ଷେତ୍ରରେ ରୋବୋଟ୍‌ର ବ୍ୟବହାର ବୃଦ୍ଧି ପାଉଛି ।

ଭାରତରେ ଉଦ୍ଭାବିତ ହୋଇଥିବା ପ୍ରଥମ ରୋବୋଟଟି ହେଉଛି ଅସ୍ୟୁତ (AcYut)। ସଂସ୍କୃତ ଭାଷାରେ ଏହାର ଅର୍ଥ ହେଲା ଯାହା ପଡ଼ିଯାଏ ନାହିଁ। ରାଜସ୍ଥାନର ପିଲାନିସ୍ଥିତ ବିର୍ଲା ପ୍ରଦ୍ୟୌଗିକ ଓ ବିଜ୍ଞାନ ପ୍ରତିଷ୍ଠାନ ବା ବିଆଇଟିଏସ୍‌ର ଦୁଇ ଛାତ୍ର ବୈଜ୍ଞାନିକ ଆକାଶ ଗୁପ୍ତା ଓ ସମୟ କୋହଲି ଏହାକୁ ନିର୍ମାଣ କରିଥିଲେ। ଏହି ଛାତ୍ରମାନଙ୍କ ନାମ ଥିଲା ଆକାଶ ଗୁପ୍ତା ଓ ସମୟ କୋହଲି । ଉଭୟ ଥିଲେ ବିଆଇଟିଏସ୍‌ର ମେକାନିକାଲ ଇଂଜିନିୟରିଂ ବିଭାଗର ଛାତ୍ର। ସେମାନେ ୨୦୦୮ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ଏହି ରୋବୋଟ ନିର୍ମାଣ କରିଥିଲେ। ଏହି ରୋବୋଟ୍‌ଟି ଏକ ଛୋଟ ମାନବ ପରି ଦେଖାଯାଉଥିଲା । ସେହି ବର୍ଷ ଜୁନ୍ ମାସରେ ଏହି ରୋବୋଟ ସାନ୍‌ଫ୍ରାନସିସ୍କୋଠାରେ ଆୟୋଜିତ ରୋବୋଗେମ୍‌ରେ ଭାଗ ନେଇଥିଲା। ଏହା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାରେ ଏହା ଥିଲା ପ୍ରଥମ ଓ ଏକମାତ୍ର ଭାରତୀୟ ରୋବୋଟ। ଏଥିରେ ଭାଗ ନେଇଥିବା ୩୦ଟି ପ୍ରତିଯୋଗୀ ରୋବୋଟ ମଧ୍ୟରେ ଏହା ଷଷ୍ଠ ସ୍ଥାନ ଅଧିକାର କରିଥିଲା। ଏହାର ପରବର୍ଷ ଦୁଇ ବୈଜ୍ଞାନିକ ମିଶି ଏହାଠାରୁ ଉନ୍ନତ ଧରଣର ରୋବୋଟ ନିର୍ମାଣ କରିଥିଲେ। ଏହାର ନାମ ଥିଲା ଅସ୍ୟୁତ-୨। ଏହାର ଉଚ୍ଚତା ୮୨ ସେ.ମି. ଥିଲା। ଏହାର ଓଜନ ଥିଲା ୯ କି.ଗ୍ରା.। ଏହା ଚଲିବୁଲି ପାରୁଥିଲା। ଏହା ମଧ୍ୟ ଫୁଟବଲ ଖେଳି ପାରୁଥିଲା। ଏପରିକି ଏହା ବଲିଉଡ଼ ତାରକାଙ୍କ ପରି ନାଚି ପାରୁଥିଲା ଓ ଆବଶ୍ୟକ ସ୍ଥଳେ ଲଢେଇ ମଧ୍ୟ କରିପାରୁଥିଲା। ତାହା ମଧ୍ୟ ୨୦୦୯ ମସିହା ଜୁନ୍ ୧୨ ରୁ ୧୪ ମଧ୍ୟରେ ଆୟୋଜିତ ରୋବୋଗେମ୍‌ରେ ଭାଗ ନେଇଥିଲା। ସେହି ବର୍ଷ ଏହି ପ୍ରତିଯୋଗିତାରେ ୨୮ଟି ଦେଶର ୨୫୦ଟି ଦଳ ଭାଗ ନେଇଥିଲେ। ପୃଥିବୀର ସର୍ବବୃହତ୍ ରୋବୋଟିକ୍ସ ପ୍ରତିଯୋଗିତା ଭାବରେ ଏହା ଗିନିସ୍ ରେକର୍ଡ଼ ବୁକ୍‌ରେ ସ୍ଥାନ ପାଇଥିଲା। ଏଥିରେ ଭାଗ ନେଇ ଅସ୍ୟୁତ-୨ ମଧ୍ୟମ ଓଜନର ମାନବ ରୋବୋଟ ବିଭାଗରେ ବ୍ରୋଞ୍ଜ୍ ପଦକ ହାସଲ କରିଥିଲା।

ବିଆଇଟିଏସ୍‌ରୁ ଉନ୍ନତ ଧରଣର ରୋବୋଟମାନ ନିର୍ମିତ ହେଉଛି। କିଛି ବର୍ଷ ତଳେ ନିର୍ମିତ ହୋଇଥିବା ଅସ୍ୟୁତ-୮ ରୋବୋଟର ଉଚ୍ଚତା ହେଉଛି ୮୮ ସେ.ମି. ଓ ଓଜନ ୫.୯ କି.ଗ୍ରା.। ଏହା ପ୍ରତି ସେକେଣ୍ଡରେ ୨୨ ସେ.ମି. ବେଗରେ ଚାଲିପାରେ। ଏହି ରୋବୋଟ୍‌ର ବିଭିନ୍ନ ସ୍ଥାନରେ ୩୪ଟି ସ୍ୱତନ୍ତ୍ରତା ସଂଖ୍ୟା ବା ଡିଗ୍ରୀ ଅଫ ଫ୍ରିଡମ୍ ରହିଛି। ଏଥିରେ ଇଂଟେଲ ଆଟମ ପ୍ରୋସେସର ଲାଗିଥିବାବେଳେ ୧୮.୫ ଭୋଲ୍ଟର ଲିଥିୟମ ପଲିମର ବ୍ୟାଟେରୀ ଲାଗିଛି।

∎
ହାଉସିଂ ବୋର୍ଡ କଲୋନୀ, ଗୁରୁଜଙ୍ଗ, ଖୋର୍ଦ୍ଧା,
ଓଡ଼ିଶା , ପିନ୍‌-୭୫୨୦୫୫
ମୋ- ୭୦୦୮୬୬୨୩୪୧


ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion