Skip to content
ଶିଶୁ କିଶୋର

କବିତା

ଓଲୁଅ କରିଲା ଓଲା

ଓଲୁଅ କରିଲା ଓଲା

ଡହ ଡହ ଖରା ତାତି
ନିଆଁଝରା ପବନ,
ଖରାଛୁଟି ହୋଇଗଲା
ସବୁ ପିଲା ଉଚ୍ଛନ୍ନ

ମାମୁଁ ଆସି ନେଇଗଲେ
ଭାରି ଖୁସି ମୋ ମନ
ଅଜା, ଆଈଙ୍କ ସ୍ନେହରେ
କଟୁଥିଲା ମୋ ଦିନ।

ସକାଳ ପହରୁ ଦିନେ
ଖତ ଗଦା କଡ଼ରେ
ଦେଖିଲି ଯାଇ ମୁଁ
ଅଜା ଖୋଳି ଥିବା ଗାଡରେ

ହାତୀ ଖୋଜ ପରି ଦିଶୁ--
ଥିଲା ସେହି ଫଳଟି
ଅଜା ମୋ କହିଲେ,
ଫଳ ନୁହେଁ ଏତ ମୂଳଟି,

ଏହାର ନାମ ଓଲୁଅ--
ଭାରି ହିତ ଦେହକୁ
ଅନେକ ରୋଗରୁ ରକ୍ଷା
କରିଥାଏ ଆମକୁ। ;

କାହୁଁ ଧାଇଁ ଆସି ଆଈ
ଅଜାଙ୍କୁ ମୋ କହିଲେ --
ଚେରକୁ ଯତନେ ଟାଣ
ଛିଡି ଯିବ ନୋହିଲେ।

ନଣ୍ଡା ନାହାକ କହିଛି,
ଘରେ ଚେର ରଖିଵ
ସବୁ ବିପଦ ଟଳିଵ,
ନିରାପଦେ ରହିବ

ଅଜା ଛାଡି ଦେଲେ ଆଈ
‌ ଭିଡୁଥିଲେ ଗଛକୁ
ଉପୁଡ଼ି ଆସିଲା ଚେର
ପଡିଗଲେ ପଛକୁ ।

ଅଜା ହସିବାରୁ ମୁହିଁ
ତାଳି ମାରି ନାଚିଲି
ରାଗିଗଲେ ଆଈ ଯେବେ
ତାଙ୍କ ପଛେ ଧାଇଁଲି।

ଓଲୁଅଟି ରଖିଦେଇ
ଢ଼ିଙ୍କି ଲାଞ୍ଜି କତିରେ
ନଈ କୁ ଗାଧୋଇ ଗଲେ
ତାଙ୍କ ସାଙ୍ଗ ସାଥିରେ।

ମଉକା ପାଇଲି ମୁହିଁ
ଦଆଟିଏ ଆଣିଲି
ଟିକିଏ କାଟି ସେଥିରୁ
ପାଟିରେ ମୋ ରଖିଲି।

ଦାନ୍ତରେ ଦେବାରୁ ଚାପି
ଲାଳ ଗଡି ପଡିଲା,
କୁଣ୍ଡେଇ ହେଲା ଏପରି
ଚେତା ମୋର ବୁଡିଲା।

ଭେଏ୰ ଭେଏ୰ ରଡି ଶୁଣି
ଲୋକ ଧାଇଁ ଆସିଲେ,
କଞ୍ଚା ଓଲୁଅ ଖାଇଛି,
ଶୁଣି ବହେ ହସିଲେ

କଙ୍କି ମାଉସୀ କହିଲା --
ବୋକାଟାଏ ଏମିତି
ସିଝା, ଚକଟା ନକରି
ଖାଉଥିଲୁ କେମିତି?

କରିବୁନି କିଛି କାମ
‌ଭଲଭାବେ ନଜାଣି।
ମନେ ରଖିଛି ସେ କଥା,
କେତେକାଳ ହେଲାଣି।

ଓଲୁଅ କରିଲା ଓଲା ,
ବୁଝିଗଲି ସେଦିନ
ଏମିତି କରିବି ନାହିଁ --
ଥିବାଯାଏ ଜୀବନ।
∎ ୫୫୪/୧୯୬୫, ଶ୍ରୀବିହାର, ପଟିଆ, ଭୁବନେଶ୍ବର, ଫୋନ୍ -

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଶ୍ରୀମତୀ ସୁଷମା ଲେଙ୍କା

22-05-2024 / 12:46:56

ଓଲୁଅ ଉପରେ କବିତା ଟି ଭଲଲାଗିଲା,ତା ବିଷୟରେ କିଛି ଜାଣିହେଲା

ମାନସ କୁମାର ପାତ୍ର

11-05-2024 / 14:33:52

ସୁନ୍ଦର କବିତା ଓଲୁଅ କରିଲା ଓଲା । ପିଲାଙ୍କ ପାଇଁ ସୁନ୍ଦର ବାର୍ତ୍ତା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion